ଆଶାନୁରୂପ ହେଉନି ଜିଏସ୍‌ଟି ଆଦାୟ

ଭୁବନେଶ୍ୱର,୩ା୧(ବ୍ୟୁରୋ): ରାଜ୍ୟରେ ଦ୍ରବ୍ୟ ଓ ସେବା ଟିକସ(ଜିଏସ୍‌ଟି) ଆଦାୟ ଆଶାନୁରୂପ ହେଉନାହିଁ। ୨୦୧୯ ଡିସେମ୍ବରରେ ଜିଏସ୍‌ଟି ଆଦାୟରେ ମାତ୍ର ୨ ପ୍ରତିଶତ ଅଭିବୃଦ୍ଧି ହୋଇଛି। ଏହି ମାସରେ ରାଜ୍ୟରେ ୨୩୮୩ କୋଟି ଟଙ୍କା ଆଦାୟ କରାଯାଇଥିବା ବେଳେ ୨୦୧୮ରେ ୨୩୪୭ କୋଟି ଟଙ୍କା ଆଦାୟ ହୋଇଥିଲା। ଏହି ମାସରେ କେନ୍ଦ୍ର ଜିଏସ୍‌ଟି ରାଜସ୍ବ ଆଦାୟ ବାବଦରେ ୧୬ ପ୍ରତିଶତ ବୃଦ୍ଧି ହୋଇଛି। ଓଡିଶାରେ ଜିଏସ୍‌ଟି ରାଜସ୍ବ ଆଦାୟ ଆଦୌ ସନ୍ତୋଷଜନକ ନୁହେଁ ବୋଲି ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଜିଏସ୍‌ଟି ଆଦାୟରେ ପଶ୍ଚିମ ବଙ୍ଗରେ ୧୬ ପ୍ରତିଶତ ଅଭିବୃଦ୍ଧି ହୋଇଥିବା ବେଳେ ଆସାମ ୩୩ ପ୍ରତିଶତି, ଛତିଶଗଡ ୧୫ ଏବଂ ଆନ୍ଧ୍ର ପ୍ରଦେଶ ୧୧ ପ୍ରତିଶତ ଅଭିବୃଦ୍ଧି କରିଛି। ଡିସେମ୍ବର ମାସରେ ଜିଏସ୍‌ଟି ଆଦାୟ ୧,୦୩,୧୮୪ କୋଟି ଟଙ୍କା ହୋଇଥିବା ବେଳେ ୧୯,୯୬୨ କୋଟି ସିଜିଏସ୍‌ଟି; ୨୬,୭୯୨ କୋଟି ଏସଜିଏସଟି; ଆଇଜିଏସ୍‌ଟି ୪୮,୦୯୯ କୋଟି ଏବଂ ସେସ୍‌ ବାବଦରେ ୮,୩୩୧ କୋଟି ଆଦାୟ ହୋଇଛି।