ଆର୍‌ପିଏଫ୍‌ର ବାର୍ଷିକ ଅପରାଧ ରିପୋର୍ଟ ପ୍ରକାଶ: ଟ୍ରେନ୍‌ରେ ନିଶା କାରବାର, ଚୋରି ବଢ଼ିଛି

ଭୁବନେଶ୍ୱର,୧୫-୧(ବ୍ୟୁରୋ): ଟ୍ରେନ୍‌ ଓ ଷ୍ଟେଶନରେ ବଢ଼ି ଚାଲିଥିବା ଅପରାଧ ରୋକିବା ସହ ଯାତ୍ରୀ ଏବଂ ଧନଜୀବନକୁ ସୁରକ୍ଷା ଦେବାରେ ରେଲ୍‌ଓ୍ବେ ପ୍ରୋଟେକ୍ସନ ଫୋର୍ସ (ଆର୍‌ପିଏଫ୍‌)ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏପରିସ୍ଥଳେ ମଙ୍ଗଳବାର ପୂର୍ବତଟ ରେଳପଥ ଅନ୍ତର୍ଗତ ଆର୍‌ପିଏଫ୍‌ର ବାର୍ଷିକ ଅପରାଧ ରିପୋର୍ଟ-୨୦୧୯ ପ୍ରକାଶ ପାଇଛି। ଟ୍ରେନ୍‌ରେ ନିଶା କାରବାର, ଚୋରା ଚାଲାଣ ସହ କୋଇଲା ଓ ଅନ୍ୟାନ୍ୟ ଚୋରି ବୃଦ୍ଧି ପାଇଛି। ସେହିପରି ଚିନ୍ତା ବଢ଼ାଇଥିବା ଜାଲ୍‌ ଇ-ଟିକେଟ ବିକ୍ରି, ଟ୍ରେନ୍‌ ଉପରକୁ ଟେକାପଥର ମାଡ଼, ଚୋରି, ଲୁଟ୍‌ ଘଟଣାରେ ସଫଳ ପଦକ୍ଷେପ ଗ୍ରହଣ କରାଯାଇଛି। ମହିଳା ଯାତ୍ରୀଙ୍କ ସୁରକ୍ଷା, ୪୮୨ ନିଖୋଜ ପିଲା ଉଦ୍ଧାର, ଅପରାଧୀଙ୍କୁ ଦଣ୍ଡ ପ୍ରଦାନ କ୍ଷେତ୍ରରେ ପୂର୍ବାପେକ୍ଷା ଆର୍‌ପିଏଫ୍‌ ଭଲ ପ୍ରଦର୍ଶନ କରିଛି ବୋଲି ରିପୋର୍ଟ ପ୍ରକାଶନ ଅବସରରେ ଆଇଜି ରାଜା ରାମ କହିଛନ୍ତି।

ଖୋଲିବ ସାଇବର ଜେଲ୍‌, ବଦଳିବ ଆର୍‌ପିଏଫ୍‌ ନାଁ

ଇ-ଟିକେଟ ଜାଲିଆତି ବଢ଼ୁଥିବାରୁ ଜୋନାଲ ହେଡ୍‌ ଅଫିସ୍‌ରେ ଏକ ସାଇବର ସେଲ୍‌ ଖୋଲାଯିବ। ଏଥିଲାଗି ୨୨ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଛି। ସେହିପରି ଆର୍‌ପିଏଫ୍‌ ନାମକୁ ସାମାନ୍ୟ ପରିବର୍ତ୍ତନ କରାଯାଇ ଆଇଆର୍‌ପିଏ୍‌ଫଏସ୍‌ (ଇଣ୍ଡିଆନ୍‌ ରେଲ୍‌ଓ୍ବେ ପ୍ରୋଟେକ୍ସନ ଫୋର୍ସ ସର୍ଭିସ) କରାଯିବାର ପ୍ରସ୍ତାବ ରହିଥିବା ଆର୍‌ପିଏଫ୍‌ ଆଇଜି ରାଜା ରାମ୍‌ ସୂଚନା ଦେଇଛନ୍ତି। ଟ୍ରେନ୍‌ କିମ୍ବା ଷ୍ଟେଶନରେ କିଛି ବି ଅପରାଧ ନଜରକୁ ଆସିଲେ ସୂଚନା ଦେବାକୁ ସେ ଯାତ୍ରୀ ଓ ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି।

ଜାଲ୍‌ ଇ-ଟିକେଟ: ୧୬୪ ଦଲାଲ ଗିରଫ
ଜାଲ୍‌ ଇ-ଟିକେଟିଂ ର଼୍ୟାକେଟକୁ ଠାବ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଆର୍‌ପିଏଫ୍‌। ୨୦୧୯ରେ ଏନେଇ ୧୫୪ ମାମଲା ରୁଜୁ କରାଯାଇ ଥିବାବେଳେ ୧୬୪ ଜଣ ଦଲାଲ ଗିରଫ ହୋଇଛନ୍ତି। ଜାଲ ଆଇଡି ଖୋଲି ଏହି ବେଆଇନ କାରବାର ଧରାପଡ଼ିବା ପରେ ମୋଟ ୨୦ ଲକ୍ଷ ୭୧ ହଜାର ୯୧୫ ଜାଲ୍‌ ଟିକେଟ ଜବତ କରାଯାଇଛି। ଏହି ମାମଲାରେ କୋର୍ଟରେ ୧୬୪ଜଣ ଅଭିଯୁକ୍ତ ଦଣ୍ଡ ପାଇଛନ୍ତି।
ନିଶା କାରବାର: ୫୨ ମାମଲା, ୬୩ ଗିରଫ
ଟ୍ରେନରେ ନିଶା କାରବାର ଓ ଚୋରାଚାଲାଣକୁ ନେଇ ୨୦୧୮ରେ ୩୩ ମାମଲା ହୋଇଥିବାବେଳେ ୧ କୁଇଣ୍ଟାଲ ୪୯ କେଜି ଗଞ୍ଜେଇ ଜବତ କରାଯାଇଥିବାବେଳେ ୪୦ ଜଣଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ୨୦୧୯ରେ ୫୨ ଏନ୍‌ଡିପିଏସ୍‌ ମାମଲା କରାଯାଇ ୬୩ଜଣଙ୍କୁ ଗିରଫ ସହ ୧୨ କୁଇଣ୍ଟାଲ୨୫ କେଜି ୪୨୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଏହାର ବଜାର ମୂଲ୍ୟ ୫୨ଲକ୍ଷ ୭ଶହ ଟଙ୍କା ହେବ।
ଟ୍ରେନ୍‌ରେ ବନ୍ୟଜନ୍ତୁ ଚାଲାଣ ଧରାପଡ଼ିଛି
ଟ୍ରେନ୍‌ରେ ବନ୍ୟଜନ୍ତୁ ଚୋରାଚାଲାଣକୁ ଧରିଛି ଆର୍‌ପିଏଫ୍‌। ୨୦୧୮ରେ ଟ୍ରେନରେ କୌଣସି ବନ୍ୟଜନ୍ତୁ ଚାଲାଣ ଧରାପଡି ନ ଥିବାବେଳେ ୨୦୧୯ରେ ଏହି ର଼୍ୟାକେଟକୁ ଧରିଥିଲା ଆର୍‌ପିଏଫ୍‌। ଏନେଇ ୨ ମାମଲା ରୁଜୁ କରାଯାଇଥିବାବେଳେ ଜଣଙ୍କୁ ଗିରଫ କରାଯାଇଛି। ୧୦ଲକ୍ଷ ୫୭ ହଜାର ୫ଶହ ଟଙ୍କା ମୂଲ୍ୟର ବନ୍ୟଜନ୍ତୁ ଉଦ୍ଧାର କରାଯାଇଛି।
ବେଆଇନ ଚେନ୍‌ ଟାଣି ୨,୮୪୧ଜଣ ଗିରଫ
୨୦୧୮ରେ ଟ୍ରେନ୍‌ର ଜରୁରିକାଳୀନ ଚେନ୍‌ ୫ହଜାର ୩୯ଥର ଟଣାଯାଇଥିବା ଯୋଗୁ ୫ହଜାର ୮୬୦ ଟ୍ରେନ ପ୍ରଭାବିତ ହୋଇଥିଲା। ଏହି ମାମଲାରେ ୨ହଜାର ୫୭୯ଜଣ ଗିରଫ ହୋଇ ସମସ୍ତେ କୋର୍ଟ ଦ୍ୱାରା ଦଣ୍ଡ ପାଇଛନ୍ତି। ସେହିପରି ୨୦୧୯ରେ ୩ ହଜାର ୮୦୧ଥର ଟ୍ରେନ୍‌ ଚେନ୍‌ ଝିଙ୍କା ଯାଇଥିବାରୁ ୩ହଜାର ୬୬୬ ଟ୍ରେନ୍‌ ପ୍ରଭାବିତ ହୋଇଛି। ଏହି ମାମଲାରେ ୨ହଜାର୮୪୧ ଜଣ ଗିରଫ ହୋଇଥିବାବେଳେ ୨ହଜାର ୮୪୧ ଜଣ କୋର୍ଟରେ ଦଣ୍ଡିତ ହୋଇଛନ୍ତି।

କୋଇଲା ଚୋରି: ୩୫ ମାମଲା, ୭୧ ଗିରଫ
ଟ୍ରେନ୍‌ରୁ କୋଇଲା ଚୋରି ଘଟଣା ପୂର୍ବାପେକ୍ଷା ବଢିଛି। ୨୦୧୮ରେ ୧୮ ମାମଲା ରୁଜୁ କରାଯାଇ ୬୦ ଜଣଙ୍କୁ ଗିରଫ କରାଯିବା ସହ ୧ଲକ୍ଷ ୬୨ ହଜାର ଟଙ୍କାର କୋଇଲା ଜବତ କରାଯାଇଥିଲ। ହେଲେ ୨୦୧୯ରେ ଏ ସଂକ୍ରାନ୍ତରେ ୩୫ ମାମଲା ରୁଜୁ କରାଯାଇଥିବାବେଳେ ୭୧ ଜଣ ଗିରଫ ହୋଇଛନ୍ତି। ଏଥିସହ ୩ଲକ୍ଷ ୩୧ ହଜାର ୮୪୦ ଟଙ୍କାର କୋଇଲା ଜବତ କରାଯାଇଛି।
ଟ୍ରେନ୍‌ରୁ ଖସି ୯୮୯ଜଣଙ୍କ ମୃତ୍ୟୁ
ଗତବର୍ଷ ଟ୍ରେନରୁ ଖସି ମୋଟ ୯୮୯ଜଣଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁସାରେ, ଏହି ଯାତ୍ରୀଙ୍କ ମଧ୍ୟରେ ଖୋର୍ଦ୍ଧାରୋଡ଼ରେ ୪୩୧ଜଣ, ସମ୍ବଲପୁର ୨୧୬, ଓ୍ବାଲ୍‌ଟିୟର ଡିଭିଜନରେ ୩୪୨ଜଣ ରହିଛନ୍ତି। ତେବେ ୨୦୧୮ରେ ୧୦୧୨ ଜଣଙ୍କର ମୃତ୍ୟୁ ଘଟିଥିଲା।
ଆଇପିସିରେ ୩୬୯ ଗିରଫ
ଇଣ୍ଡିଆନ ପେନାଲ କୋଡ୍‌ (ଆଇପିସି) ଅପରାଧରେ ୨୦୧୯ରେ ସମୁଦାୟ ୩୬୯ ଅପରାଧୀ ଗିରଫ ହୋଇଛନ୍ତି। ନିଶାଦେଇ ଲୁଟ୍‌ ମାମଲାରେ ୭ଜଣ, ଯାତ୍ରୀଙ୍କ ଲଗେଜ ଲୁଟ୍‌ରେ ୨୨୭ଜଣ, ଚେନ୍‌ ଲୁଟ୍‌ରେ ୮୦ଜଣ, ମହିଳାଙ୍କ ବିରୋଧରେ ଅପରାଧ ଘଟାଇ ୩ଜଣ ଓ ଅନ୍ୟ କେତେକ ଅପରାଧରେ୫୨ ଜଣ ଗିରଫ ହୋଇଛନ୍ତି।
ସର୍ବାଧିକ ଟେକାପଥର ମାଡ଼
ଗତବର୍ଷ ଚଳନ୍ତା ଟ୍ରେନ୍‌ ଉପରକୁ ଟେକାପଥର ମାଡ଼ ଘଟଣା ସର୍ବାଧିକ ଥିଲା। ୨୦୧୮ରେ ୧୦ ରିପୋର୍ଟ ହୋଇଥିବାବେଳେ ୬ମାମଲା ରୁଜୁ କରାଯାଇ ୮ଜଣଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ୨୦୧୯ରେ ୩୬ ରିପୋର୍ଟ ହୋଇଥିବାବେଳେ ୨୬ ମାମଲା ରୁଜୁ କରାଯାଇ ୧୮ ଜଣଙ୍କୁ ଗିରଫ କରାଯାଇଛି।