ଆର୍‌ଏମ୍‌ସି ପକ୍ଷରୁ କୃଷକ ବଜାର ଲୋକାର୍ପିତ: ‘ଚାଷୀଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟ’

ଢେଙ୍କାନାଳ ଅଫିସ, ୨୮ା୧୧:  ଢେଙ୍କାନାଳ ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌ସି) ପକ୍ଷରୁ ବୁଧବାର ଅପରାହ୍ନ ୧ଟା ୪୫ରେ କୈବଲ୍ୟ ବଜାର ଗାୟତ୍ରୀ ମନ୍ଦିର ନିକଟରେ ନବନିର୍ମିତ କୃଷକ ବଜାର ଉଦ୍‌ଘାଟିତ ହୋଇଯାଇଛି। ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହାକୁ ଲୋକାର୍ପଣ କରି କହିଲେ, ଚାଷୀଙ୍କୁ ଆର୍ଥତ୍କ ସ୍ବାବଲମ୍ବୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ମଧ୍ୟରୁ ଏହା ଅନ୍ୟତମ। ଏହା ଚାଷୀଙ୍କ ରୋଜଗାର ବଢ଼ାଇବ। ଏହି ଅବସରରେ ମନ୍ତ୍ରୀ ପରିବା ଚାଷୀ ଏବଂ ବ୍ୟବସାୟୀଙ୍କୁ ସୁବିଧା ଅସୁବିଧା ପଚାରି ବୁଝିବା ସହ ଠିକ ଦରରେ ଖାଉଟିଙ୍କୁ ପରିବା ବିକ୍ରୟ କରିବା ପାଇଁ ପରାମର୍ଶ ଦେଇଥିଲା।
ଢେଙ୍କାନାଳ ସହରରେ ଏକ କୃଷକ ବଜାର ସ୍ଥାପନ କରିବାକୁ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା। ଏହାଦ୍ୱାରା ଚାଷୀ, ବ୍ୟବସାୟୀ ଏବଂ ଜନସାଧାରଣ ଉପକୃତ ହୋଇପାରିବେ। ୯୯ଲକ୍ଷ ଟଙ୍କା ବ୍ୟୟରେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ନିର୍ମିତ ଏହି କୃଷକ ବଜାରରେ ୫୬ ପିଣ୍ଡି, ୩ ଗୋଦାମ, ୨ଶୀତଳଭଣ୍ଡାର ଗୃହ, କାର୍ଯ୍ୟାଳୟ, କ୍ୟାଣ୍ଟିନ, କଂକ୍ରିଟ୍‌ ରୋଡ, ବସିବା ସ୍ଥାନ ସହିତ ଡ୍ରେନ୍‌ ନିର୍ମାଣ କରାଯାଇଛି। ଏହାର ପରିସର ୪୦ ଡେସିମିଲ ଜମିରେ ପରିବ୍ୟାପ୍ତ।
ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ବିଧାୟକ ସୁଧୀର ସାମଲ, ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା, ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ତଥା ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପାଧ୍ୟକ୍ଷା ସାଗରିକା ମିଶ୍ର, ଓସ୍‌ମା ବୋର୍ଡ ସଦସ୍ୟ ଦିଲୀପ ମିଶ୍ର, ଜିଲା ଯୋଗାଣ ବିଭାଗ ଅଧିକାରୀ ସଞ୍ଜୀବ ସାହୁ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହେମନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ନିରଞ୍ଜନ ସେଠ୍‌ ଧନ୍ୟବାଦ ଦେଇଥିଲେ।