Categories: ଗଞ୍ଜାମ

ଆର୍ମି ଏଡି କଲେଜ ଦୀକ୍ଷାନ୍ତ ସମାରୋହ ଆଜି : ପହଞ୍ଚିଲେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଗୋପାଳପୁର,୨୮ା୯-ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଆର୍ମି ଏଡି କଲେଜ ପରିସରରେ ଆୟୋଜିତ ହେବାକୁ ଥିବା ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ। ରାଷ୍ଟ୍ରପତି ଶୁକ୍ରବାର ବାୟୁସେନାରେ ସ୍ବତନ୍ତ୍ର ବିମାନରେ ଆସି ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଏବଂ ଅନ୍ୟ ପୋଲିସ ଅଧିକାରୀମାନେ ସ୍ବାଗତ ଜଣାଇଥିଲେ। ପରେ ରାଷ୍ଟ୍ରପତି, ତାଙ୍କ ପତ୍ନୀ, ରାଜ୍ୟପାଳ, ଦୁଇ କେନ୍ଦ୍ରମନ୍ତ୍ରୀ ୨ଟି ସ୍ବତନ୍ତ୍ର ହେଲିକପ୍ଟରରେ ଆସି ଅପରାହ୍ନ ପ୍ରାୟ ୩ଟା ୪୦ ମିନିଟରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚତ୍ଥିଲେ। ସେଠାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଆର୍‌ଡିସି ଟି. ଆଓ, ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ଆଇଜି ଅମିତାଭ ଠାକୁର, ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଓ ଆର୍ମି ଏଡି କଲେଜର ମୁଖ୍ୟ ବ୍ରିଗେଡିର ରାଜୀବ ଶ୍ରୀବାସ୍ତବ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ସ୍ବାଗତ କରିଥିଲେ। ସେଠାରୁ ଦୁଇ କିଲୋମିଟର ଦୂରରେ ଥିବା ଆର୍ମି ଏଡ଼ି କଲେଜକୁ କଡ଼ା ସୁରକ୍ଷା ବଳୟରେ ରାଷ୍ଟ୍ରପତିଙ୍କୁ ପାଛୋଟି ନିଆଯାଇଥିଲା। ସେଠାରେ ରାଷ୍ଟ୍ରପତି ରାତ୍ରିଯାପନ କରିବେ। ରାଷ୍ଟ୍ରପତି ଆସିବାର କିଛି ସମୟ ପରେ ବାୟୁସେନା ମୁଖ୍ୟ ବିପିନ ରାୱତ ମଧ୍ୟ ହେଲିକପ୍ଟରରୁ ଓହ୍ଲାଇଥିଲେ । ତାଙ୍କୁ ସେନା ପକ୍ଷରୁ କଡ଼ା ସୁରକ୍ଷାରେ ପାଛୋଟି ନିଆଯାଇଥିଲା ।