ଆରୋଗ୍ୟ ସେତୁ ଆପ୍‌ ଉପରେ ପାକିସ୍ତାନ ହ୍ୟାକରର ନଜର

ମୁମ୍ବାଇ,୧୦।୬: ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ସଙ୍କଟ ଜଟିଳ ପରିସ୍ଥିତିରେ ପହଞ୍ଚିଛି। ଏହାକୁ ରୋକିବାକୁ ବିଭିନ୍ନ ଦେଶ ନିଜ ପକ୍ଷରୁ ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି। ତେବେ କରୋନା ସଙ୍କଟ ମଧ୍ୟରେ ପାକିସ୍ତାନ ନିଜ କୁକର୍ମରୁ ଓ ଭାରତ ବିରୋଧରେ ଷଡ଼ଯନ୍ତ୍ର କରିବାରେ ପଛଘୁଞ୍ଚା ଦେଉନାହିଁ। ସୂଚନାଯୋଗ୍ୟ, କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରୋଗ୍ୟ ସେତୁ ନାମକ ଏକ ଆପ୍‌ ତିଆରି କରାଯାଇଛି। ଯାହାକୁ ଏବେ ସରକାରୀ ସ୍ତର ଓ କାର୍ଯ୍ୟାଳୟରେ ବାଧ୍ୟତାମୂଳକ ଡାଉନଲୋଡ କରିବାକୁ ନିର୍ଦ୍ଦେଶ ରହିଛି। ତେବେ ଏହି ଆପ୍‌ ଭଳି ନକଲି ଆପ୍‌ ତିଆରି କରି ଡାଟା ଚୋରି କରିବାକୁ ଷଡ଼ଯନ୍ତ୍ର ରଚୁଛି ପାକିସ୍ତାନ। କାରଣ ଫୋନରେ ବ୍ୟକ୍ତିଙ୍କ ସମସ୍ତ ସୂଚନା ରହୁଥିବାରୁ ଏବେ ଏହା ଉପରେ ପାକିସ୍ତାନ ହ୍ୟାକର ନଜର ରହିଛି ବୋଲି ମହାରାଷ୍ଟ୍ର ସାଇବର ସିକ୍ୟୁରିଟି ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ, ପାକିସ୍ତାନ ହ୍ୟାକର ଏକ ନକଲି ଆରୋଗ୍ୟ ସେତୁ ଆପ୍‌ ତିଆରି କରିଛି। ଏହି ଆପ୍‌କୁ ଇନ୍‌ଷ୍ଟୋଲ କରିବା ମାତ୍ରେ ବ୍ୟକ୍ତିଙ୍କ ଫୋନରେ ଥିବା ସମସ୍ତ ଡାଟାକୁ ହ୍ୟାକର ଚୋରି କରିନେବେ। ଏହି ଆପ୍‌କୁ ୨୦୨୦ ଏପ୍ରିଲରେ ଲଞ୍ଚ କରାଯାଇଥିଲା। ହେଲେ ବର୍ତ୍ତମାନ ପୁଣିଥରେ ଏହି ନକଲି ଆପ୍‌ର ନୂଆ ଭର୍ସନ ଲଞ୍ଚ କରାଯାଇଛି ବୋଲି ମହାରାଷ୍ଟ୍ର ସାଇବର ସିକ୍ୟୁରିଟିର ଆଇଜି ଯଶସ୍ବୀ ଯାଦବ ସୂଚନା ଦେଇଛନ୍ତି।

Share