ଆରମ୍ଭ ହେଲା ଧରପଗଡ଼: ଯାଞ୍ଚବେଳେ ପୋଲିସ-ଜନତା ମୁହାଁମୁହିଁ

କଟକ ଅଫିସ,୨।୧୨: ଡିସେମ୍ବର ପହିଲାରୁ ଟ୍ରାଫିକ ଚେକିଂ ଜୋର୍‌ଦାର ହେବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। ସରକାର ଗାଡ଼ି କାଗଜପତ୍ର ଯାଞ୍ଚ ଉପରେ ୩ମାସ କୋହଳ ଘୋଷଣା କରିଥିଲେ ସୁଦ୍ଧା ୧୦ଟି ନିର୍ଦ୍ଦିଷ୍ଟ ନିୟମ ଉପରେ କଟକଣା ବଳବତ୍ତର ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସହରରେ ରବିବାର ଟ୍ରାଫିକ ଚେକିଂ ଜୋରଦାର କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି କ୍ରମରେ କଟକ ସହର ପ୍ରବେଶର ମୁଖ୍ୟ ଛକ ଲିଙ୍କ୍‌ରୋଡ ତଥା ଟ୍ରାଫିକ ଥାନା ସମ୍ମୁଖରେ ରବିବାର ମଧ୍ୟାହ୍ନରେ ଶତାଧିକ ବାଇକ ଚାଳକଙ୍କୁ ପୋଲିସ ଯାଞ୍ଚ କରିଥିଲା। ଯାହାକୁ ନେଇ ପୋଲିସ-ଜନତା ଭିତରେ ଅପ୍ରୀତିକର ପରିସ୍ଥିତି ମଧ୍ୟ ଉପୁଜିଥିଲା। ଯାଞ୍ଚ ଦାୟିତ୍ୱରେ ଥିବା ଟ୍ରାଫିକ କର୍ମଚାରୀଙ୍କୁ ଭୁଅଁା ବୁଲାଇ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ଜଣେ ଯୁବକ ବାଇକରୁ ଖସି ପଡ଼ିଥିଲେ। ଏଥିସହିତ ତାଙ୍କୁ ଅଟକାଇବାକୁ ଉଦ୍ୟମ କରୁଥିବା ଟ୍ରାଫିକ କର୍ମଚାରୀ ମଧ୍ୟ ପଡ଼ି ଯାଇଥିଲେ। ଯୁବକଙ୍କ ଘର ନୟାଗଡ଼ ଅଞ୍ଚଳରେ ହୋଇଥିବାବେଳେ ସେ ଦରଘାବଜାରସ୍ଥିତ ତାଙ୍କ ମାମୁଘରେ ରୁହନ୍ତି। ପୋଲିସ ତାଙ୍କୁ କାବୁ କରିବା ପରେ ଟ୍ରାଫିକ ଥାନାରେ ତାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ଏହାଛଡ଼ା ଜଣେ ଯୁବତୀ ଓ ଟ୍ରାଫିକ କର୍ମଚାରୀଙ୍କ ମଧ୍ୟରେ ଦୀର୍ଘ ସମୟର ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଥିଲା।
ଆଇଏସ୍‌ଆଇ ମାର୍କ ହେଲ୍‌ମେଟ୍‌ ନ ପିନ୍ଧିଲେ ଜରିମାନା
କେବଳ ହେଲମେଟ୍‌ ପିନ୍ଧିଲେ ଟ୍ରାଫିକ ଯାଞ୍ଚରୁ ମୁକୁଳି ଯାଉଛନ୍ତି ଗାଡ଼ି ଚାଳକ। ହେଲେ ବିନା ଆଇଏସ୍‌ଆଇ ମାର୍କର ହେଲ୍‌ମେଟ ପିନ୍ଧିଥିବା ଗାଡ଼ି ଚାଳକଙ୍କୁ ଜରିମାନା ଦେବାକୁ ପଡୁଛି। ଟ୍ରାଫିକ ଯାଞ୍ଚରୁ ଖସି ଯିବା ଆଳରେ ଶସ୍ତା ଦରର ହେଲମେଟ୍‌ ବ୍ୟବହାରକାରୀ ଏଭଳି ଫସିଥିବା ରବିବାର ଦେଖିବାକୁ ମିଳିଛି। ଏ ନେଇ ଟ୍ରାଫିକ ଏସିପି ଜତୀନ କୁମାର ପଣ୍ଡା କହିଛନ୍ତି, ଲୋକଙ୍କ ସୁରକ୍ଷା ପାଇଁ ସମସ୍ତ ନିୟମ ହୋଇଛି। ହେଲେ ଜନସାଧାରଣ ଏହାକୁ ବୋଝ ଭାବୁଛନ୍ତି। ଆଗାମୀ ଦିନରେ ଟ୍ରାଫିକ ଯାଞ୍ଚ ଜୋରଦାର ହେବ ବୋଲି ଏସିପି ପଣ୍ଡା କହିଥିଲେ।