ଆରମ୍ଭ ହେଲା ଜନଗଣନା-୨୦୨୧

ଭୁବନେଶ୍ୱର,୧୩।୮(ବ୍ୟୁରୋ): ଜନଗଣନା-୨୦୨୧ ପ୍ରକ୍ରିୟା ସୋମବାରଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ୧୫ ନଂ ୱାର୍ଡ, କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ତହସିଲ, ବଲାଙ୍ଗୀରର ପୁଇଁତଳା ତହସିଲରେ ଏହା ଆରମ୍ଭ ହୋଇଛି। ଓଡ଼ିଶା ଜନଗଣନା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ପ୍ରଭାକର ବରାଦଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପୂର୍ଣ୍ଣାଙ୍ଗ ଜନଗଣନା ପୂର୍ବରୁ ପ୍ରାକ୍‌ ଜନଗଣନାରେ ଦେଖାଯାଇଥିବା ତ୍ରୁଟିକୁ ସୁଧାରିବାକୁ ଗୁରୁତ୍ୱ ଦିଆଯାଇଛି।
ଏହି ଜନଗଣନା ପ୍ରକ୍ରିୟା ସାମାନ୍ୟ ବିଳମ୍ବରେ ହୋଇଥିବା କୁହାଯାଇଛି। ତେଣୁ ବର୍ତ୍ତମାନ ଘରଗୁଡିକର ଟ୍ୟାଗିଂ କରାଯାଉଛି। ଏହି କାର୍ଯ୍ୟ ଆସନ୍ତା ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ଚାଲିବ। ଜାତୀୟ ଜନଗଣନା ରେଜିଷ୍ଟ୍ରାର(ଏନ୍‌ପିଆର) ନାଗରିକମାନଙ୍କ ତଥ୍ୟ ପ୍ରଦାନରେ ସହାୟକ ହେବ ବୋଲି କୁହାଯାଇଛି। ରାଜଧାନୀର ଜନଗଣନା ଅଧିକାରୀ ପ୍ରସନ୍ନ କୁମାର ରାଉତ କହିଛନ୍ତି ଯେ, ଜନଗଣନାରେ ପରିବାରର ଲୋକସଂଖ୍ୟା, ପରିବାର ମୁଖିଆ, ପାନୀୟଜଳ ସୁବିଧା, କେତେ ପରିମାଣରେ ମୌଳିକ ସୁବିଧା ପାଉଛନ୍ତି ସେ ନେଇ ସର୍ବେକ୍ଷଣ କରାଯାଉଛି। ଜନଗଣନା ପ୍ରି-ଟେଷ୍ଟ ପରେ ପାଇଲଟ ସର୍ଭେ ସେପ୍ଟେମ୍ବର ୧୦ରୁ ୧୯ ମଧ୍ୟରେ ହେବ ବୋଲି ପ୍ରସନ୍ନ କହିଛନ୍ତି। ଆଗାମୀ ବର୍ଷ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଘରୱାରି ଟ୍ୟାଗିଂ ଏବଂ ଏନ୍‌ପିଆର ହେବ। ଟ୍ୟାଗିଂ ପାଇଁ ୩୩ ଏବଂ ଏନ୍‌ପିଆର ପାଇଁ ୧୫ଟି ପ୍ରଶ୍ନ ପଚରାଯିବ। ଏହା ପରେ ୨୦୨୧ ଫେବୃୟାରୀ ୯ରୁ ୨୧ ମଧ୍ୟରେ ପ୍ରକୃତ ଜନଗଣନା ଆରମ୍ଭ ହେବ। ସେହି ପର୍ଯ୍ୟାୟରେ ଲୋକମାନଙ୍କୁ ୨୮ଟି ପ୍ରଶ୍ନ ପଚରାଯିବ। ସାରା ରାଜ୍ୟରେ ଜନଗଣନା ପାଇଁ ପ୍ରାୟ ଏକ ଲକ୍ଷ ଗଣନାକାରୀଙ୍କୁ ନିୟୋଜିତ କରାଯାଇଥିବା ଜଣାପଡିଛି।