ଆରମ୍ଭ ହେବ ମୋ କଲେଜ ଯୋଜନା

ଭୁବନେଶ୍ୱର,୩୧।୭(ବ୍ୟୁରୋ): ‘ମୋ ସ୍କୁଲ’ଭଳି ଖୁବ୍‌ଶୀଘ୍ର ‘ମୋ କଲେଜ’ କାର୍ଯ୍ୟକ୍ରମ ଆରମ୍ଭ ହେବ। ପୁରାତନ ଛାତ୍ରମାନଙ୍କୁ ଏଥିରେ ସାମିଲ କରାଯିବ। କଲେଜର ବିକାଶ ତଥା ଗୁଣାତ୍ମକ ଶିକ୍ଷା ଦିଗରେ ସେମାନଙ୍କଠାରୁ ମତାମତ ସଂଗ୍ରହ କରାଯିବ। ଏଥିସହିତ ସେମାନଙ୍କ ଅନୁଦାନରେ କଲେଜର ଭିତ୍ତିଭୂମି ନିର୍ମାଣ କରାଯିବ। ମଙ୍ଗଳବାର ମୁଲତବୀ ଆଲୋଚନାର ଜବାବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ ସାହୁ କହିଛନ୍ତି ଯେ, ରାଜ୍ୟରେ ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଗତ ୨ ମାସ ମଧ୍ୟରେ ସରକାରୀ କଲେଜ ଅଧ୍ୟକ୍ଷ, ବିଶ୍ୱବିଦ୍ୟାଳୟ ଭିସିମାନଙ୍କୁ ଡାକି ବୈଠକ କରାଯାଇଛି। ସେମାନଙ୍କଠାରୁ ମତାମତ ନିଆଯାଇଛି। ବିଶ୍ୱବିଦ୍ୟାୟରେ ଖାଲି ପଦବୀ ପୂରଣ ପ୍ରକ୍ରିୟା ଜାରି ରହିଛି। ରାଜ୍ୟରେ ୫୨ ସରକାରୀ ଡିଗ୍ରୀ କଲେଜ ରହିଛି। ଗତ ୩ ବର୍ଷରେ ଛାତ୍ରୀଛାତ୍ରମାନଙ୍କର ନାମଲେଖା ବଢ଼ିବାରେ ଲାଗିଛି। ୨୦୧୬-୧୭ରେ ୨୧,୫୬୫ ଛାତ୍ରୀଛାତ୍ର ନାମ ଲେଖାଇଥିବା ବେଳେ ୨୦୧୭-୧୮ରେ ୨୩,୦୦୨ ଏବଂ ୨୦୧୮-୧୯ରେ ୨୩,୯୪୬ ଜଣ ନାମ ଲେଖାଇଛନ୍ତି। ସରକାରୀ କଲେଜରେ ଚଏସ୍‌ବେସ୍‌ଡ କ୍ରେଡିଟ ସିଷ୍ଟମ(ସିବିସିଏସ୍‌) ସେମିଷ୍ଟର ପଦ୍ଧତିରେ ପାଠପଢ଼ା ହେଉଛି। ଅନୁନ୍ନତ ଓ ପଛୁଆ ଜିଲାରେ ରୁଷା ଯୋଜନାରେ ୮ଟି ମଡେଲ ଡିଗ୍ରୀ କଲେଜ ଖୋଲାଯାଇଛି। ପ୍ରତ୍ୟେକ କଲେଜକୁ ୮ କୋଟି ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ୨୦୧୬-୧୭ରୁ ସେଥିରେ ନାମଲେଖା ଆରମ୍ଭ ହୋଇଛି। ଚଳିତ ବର୍ଷ ଆଉ ୬ଟି ମଡେଲ ଡିଗ୍ରୀ କଲେଜ ଖୋଲାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେହି ଜିଲାଗୁଡ଼ିକ ହେଲା ବଲାଙ୍ଗୀର, କଳାହାଣ୍ଡି, ଢେଙ୍କାନାଳ, କନ୍ଧମାଳ, କୋରାପୁଟ ଓ ଗଜପତି। ଛାତ୍ରୀଛାତ୍ରମାନଙ୍କର କହିବା ଦକ୍ଷତା ବୃଦ୍ଧି କରିବା ପାଇଁ ୪୦ଟି ସରକାରୀ କଲେଜରେ ଲାଙ୍ଗୁଏଜ ଲାବୋରେଟୋରି ଖୋଲାଯାଇଛି। ୫୧ଟି ସରକାରୀ କଲେଜରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ଏବଂ ୪୨ଟି କଲେଜରେ ଆଇଆଇଟି ମୁମ୍ବାଇ ଭାଗୀଦାରିରେ ସ୍ପୋକନ ଟ୍ୟୁଟୋରିଆଲ ଆରମ୍ଭ କରାଯାଇଛି। ୨୭ଟି କଲେଜରେ ଓ୍ବାଇଫାଇ ବ୍ୟବସ୍ଥା କରାଯାଇଛି। କଲେଜଗୁଡ଼ିକୁ ରୁଷା ଏବଂ ବିଶ୍ୱବ୍ୟାଙ୍କରୁ ସହାୟତା ଯୋଗାଇ ଦିଆଯାଉଛି। ସରକାରୀ ଡିଗ୍ରୀ କଲେଜରେ ୨୩୦୯ ଶିକ୍ଷକ ପଦବୀ ସୃଷ୍ଟି କରାଯାଇଛି। ଖାଲିଥିବା ଅବଶିଷ୍ଟ ପଦବୀଗୁଡ଼ିକରେ ୧୨୦ ଜଣ ଅସ୍ଥାୟୀ ଅଧ୍ୟାପକ ଓ ୧୦୬୦ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ନିୟମିତ ଅଧ୍ୟକ୍ଷ ଚୟନ ନିମନ୍ତେ ସରକାରଙ୍କ ଅନୁରୋଧକ୍ରମେ ରିଡରମାନଙ୍କ ମଧ୍ୟରୁ ଯୋଗ୍ୟ ପ୍ରାର୍ଥୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ ଚୟନ ପ୍ରକ୍ରିୟା ଜାରି ରଖିଛନ୍ତି। ତାଲିକା ମିଳିବା ପରେ ଖୁବ୍‌ଶୀଘ୍ର ସମସ୍ତ ସରକାରୀ କଲେଜରେ ନିୟମିତ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।