ଆରପାରିରେ ରିଷି କପୁର

ମୁମ୍ବାଇ,୩୦।୪: ବଲିଉଡ୍‌ ଅଭିନେତା ରିଷି କପୁରଙ୍କର ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଯିବାରୁ ରିଷିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ପରେ ତାଙ୍କୁ ବୁଧବାର ବିଳମ୍ବିତ ରାତ୍ରରେ ମୁମ୍ବାଇର ଏଚ୍‌ଏନ୍‌ ରିଲାଏନ୍ସ୍‌ ଫାଉଣ୍ଡେଶନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରିଷିଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ଭାଇ ରଣଧୀର କପୁର ସୂଚନା ଦେଇଛନ୍ତି। ରିଷିଙ୍କ ମୃତ୍ୟୁରେ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ୨୦୧୮ରେ ସେ କର୍କଟ ରୋଗରେ ପୀଡ଼ିତ ହୋଇ ଏକ ବର୍ଷଧରି ନ୍ୟୁୟର୍କରେ ଚିକିତ୍ସିତ ହେଉଥିଲେ। ରିଷିଙ୍କ ମୃତ୍ୟୁରେ ଅମିତାଭ ବଚ୍ଚନ ଟୁଇଟ୍‌ କରି କହିଛନ୍ତି ଯେ, ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି। ସେହିପରି ରାହୁଲ ଗାନ୍ଧୀ କହିଛନ୍ତି ବଲିଉଡ୍‌ ପାଇଁ ରିଷିଙ୍କ ମୃତ୍ୟୁ ଏକ ଅପୂରଣୀୟ କ୍ଷତି। ଅଭିନେତା ରାଜ ମୁରାଦ ଣିଷିଙ୍କ ମୃତ୍ୟୁ ଖବର ଶୁଣି କାନ୍ଦି ପକାଇବା ସହିତ କହିଛନ୍ତି, ତାଙ୍କ ସହିତ ମୋର ୪୫ ବର୍ଷର ସମ୍ପର୍କ ଏବେ ତୁଟିଗଲା। ସୂଚନାଯୋଗ୍ୟ,୧୯୫୨ ସେପ୍ଟେମ୍ବର ୪ରେ ସେ ମୁମ୍ବାଇର ଚେମ୍ବୁରଠାରେ ଜନ୍ମଗ୍ରହଣ କରିଥିଲେ।
୧୯୫୫ରେ ପିତା ରାଜକପୁରଙ୍କ ଅଭିନୀତ ଫିଲ୍ମ ଶ୍ରୀ ୪୨୦ର ‘ପ୍ୟାର୍‌ ହୁଆ ଏକ ରାର୍‌ ହୁଆ’ ଗୀତରେ ଜଣେ ଶିଶୁ କଳାକାର ଭାବେ କିଛି ସେକେଣ୍ଡ ପାଇଁ ଅଭିନୟ କରିଥିଲେ। ଏହାପରେ ୧୯୭୦ରେ ପିତା ରାଜ କପୁରଙ୍କ ଫିଲ୍ମ ମେରାନାମ ଜୋକରରେ ଅଭିନୟ କରି ନିଜ ଅଭିନୟ ଦକ୍ଷତା ପ୍ରତିପାଦିତ କରିଥିଲେ। ୧୯୭୩ରେ ଫିଲ୍ମ ବବିରେ ଅଭିନୟ କରିଥିଲେ। ଫିଲ୍ମଟି ବକ୍ସ୍‌ ଅଫିସ୍‌ରେ ବେଶ୍‌ ସଫଳ ରହିଥିଲା। ରିଷି ଏବଂ ଅଭିନେତ୍ରୀ ନିତୁ ସିଂଙ୍କ ମଧ୍ୟରେ ଶୁଟିଂ ସେଟ୍‌ରୁ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ୧୯୮୦ ଜାନୁୟାରୀ ୨୨ରେ ସେ ନିତୁଙ୍କୁ ବିବାହ କରିଥିଲେ। ଜଣେ ରୋମାଣ୍ଟିକ୍‌ ଅଭିନେତା ଭାବେ ୧୯୭୩ରୁ ୨୦୦୦ମଧ୍ୟରେ ସେ ୯୨ ଫିଲ୍ମରେ ଅଭିନୟ କରିଥିଲେ। ସେଥିମଧ୍ୟରୁ ୩୬ଟି ବକ୍ସ୍‌ ଅଫିସ୍‌ରେ ସଫଳ ରହିଥିଲା। ୨୦୧୧ରେ ଫିଲ୍ମ ଦୋ ଦୁନେ ଚାରରେ ଅଭିନୟ କରି ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ହାସଲ କରିଥିଲେ। ୨୦୧୭ରେ କପୁର ଆଣ୍ଡ୍‌ ସନ୍ସ୍‌ରେ ନିଖୁଣ ଅଭିନୟ ପାଇଁ ତାଙ୍କୁ ଫିଲ୍ମଫେୟାର ଶ୍ରେଷ୍ଠ ସହାୟକ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଥିଲା।

 

Share