ଆମ୍ବୁଲାନ୍ସରେ ଯାତ୍ରୀ ପରିବହନ: ଚାଳକ, ଯାତ୍ରୀ ଅଟକ

ରାୟଗଡ଼ା ଅଫିସ,୩୦ା୩-କୋଭିଡ୍‌-୧୯ର ଭୟାବହତାକୁ ନଜରରେ ରଖି ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିପାଇଁ ଯାନବାହନ ଚଳାଚଳ ବନ୍ଦ ରହିଛି। ଏଭଳି ପରିସ୍ଥିତିରେ ସୋମବାର ନୟାଗଡ଼ ଜିଲା ଓଡ଼ଗାଁ ଅଞ୍ଚଳର ୬ ଯାତ୍ରୀ ଏକ ଆମ୍ବୁଲାନ୍ସ ଯୋଗେ କୋରାପୁଟ ଜିଲା ଦାମନଯୋଡ଼ି ଯାତ୍ରା କରିବା ସମୟରେ ରାୟଗଡ଼ା ପୋଲିସ ହାତରେ ଧରାପଡ଼ିଛନ୍ତି। ଟାଉନ୍‌ ପୋଲିସ ୬ ଯାତ୍ରୀଙ୍କ ସମେତ ଓଡ଼ଗାଁ ମେଡିକାଲ୍‌ର ଆମ୍ବୁଲାନ୍ସ ଚାଳକ ଲକ୍ଷ୍ମୀ ନାରାୟଣ ସେନାପତିଙ୍କୁ ଅଟକ ରଖିଛି। ସୂଚନା ଅନୁଯାୟୀ, ଯାତ୍ରୀମାନେ ଗାଡ଼ି ଭଡ଼ା କରି ଓଡ଼ଗାଁରୁ ଦାମନାଯାଡ଼ି ବାହାରିଥିଲେ। ହେଲେ ରାସ୍ତାରେ ଗାଡ଼ି ଖରାପ ହୋଇଥିଲା। ଫଳରେ ତୁମୁଡ଼ିବନ୍ଧ ଛକରେ ସେମାନେ ଅଟକିଥିଲେ। ଏହି ସମୟରେ ଓଡ଼ଗାଁ ମେଡିକାଲ୍‌ର ଆମ୍ବୁଲାନ୍ସ(ଓଆର୍‌୦୨କ୍ୟୁ-୫୭୮୭)ଭବାନିପାଟଣାରେ ରୋଗୀଙ୍କୁ ଛାଡ଼ି ଫେରୁଥିଲା। ୩ହଜାର ଟଙ୍କା ଭଡ଼ା ନେଇ ଆମ୍ବୁଲାନ୍ସ ଚାଳକ ସେମାନଙ୍କୁ ଦାମନଯୋଡ଼ିରେ ଛାଡ଼ିବାକୁ ରାଜି ହୋଇଥିଲେ। ହେଲେ ରାୟଗଡ଼ାଠାରେ ପୋଲିସ ସେମାନଙ୍କୁ ଅଟକାଇଥିବା ଜଣାପଡ଼ିଛି।