Categories: ଫୁରସତ

ଆମେରିକୀୟ ବ୍ଲଗରଙ୍କ ଭିଡିଓକୁ ୩୨ ମିଲିୟନ ଭ୍ୟୁ: ଭୁଲରେ ଅପରିଚିତଙ୍କୁ କୁଣ୍ଢାଇ ଅଡ଼ୁଆରେ ପଡ଼ିଥିଲେ

ଆମେରିକୀୟ ବ୍ଲଗର ମେରି କ୍ୟାଥେରିନ ବ୍ୟାକ୍‌ଷ୍ଟ୍ରମଙ୍କ ସହ ଘଟିଥିବା ଏକ ମଜାଦାର ଘଟଣା ସମ୍ପର୍କିତ ଭିଡିଓ ସମ୍ପ୍ରତି ଫେସ୍‌ବୁକ୍‌ରେ ଭାଇରାଲ ହୋଇଛି। ସେ କିଭଳି ଭୁଲରେ ଜଣେ ଅପରିଚିତଙ୍କୁ କୁଣ୍ଢାଇ ପକାଇଥିଲେ ତାହା ଭିଡିଓରେ ବର୍ଣ୍ଣନା କରିଛନ୍ତି। ଗତ ୬ ତାରିଖରେ ପୋଷ୍ଟ ହୋଇଥିବା ଉକ୍ତ ଭିଡିଓ ମଙ୍ଗଳବାର ସୁଦ୍ଧା ୩୨ ମିଲିୟନ ଭ୍ୟୁ ହୋଇସାରିଛି। ଏହାକୁ ନେଇ ଅନେକ ମଜାଳିଆ କମେଣ୍ଟ ମଧ୍ୟ ମିଳିଛି। ଫ୍ଲୋରିଡାରେ ରହୁଥିବା ମେରି ଗତ ଶୁକ୍ରବାର ‘ଓ୍ବାଓ୍ବା’ ନାମକ ଏକ ଗ୍ୟାସ୍‌ ଷ୍ଟେଶନ କନଭିନିଏନ୍ସ ଷ୍ଟୋରରେ ଥିବାବେଳେ ଏକ ପୁସ୍ତକ ପଢ଼ୁଥିଲେ, ଯାହାର ବିଷୟବସ୍ତୁ ଥିଲା ଫେଷ୍ଟିଭ୍‌ ସିଜନରେ ଉଦାର ରହିବା ଉଚିତ। ତାହା ତାଙ୍କୁ ଅନୁପ୍ରାଣିତ କରିଥିଲା। ଫଳରେ ସେ ସେଠାରେ ଥିବା ଜଣେ ମହିଳାଙ୍କ ପାନୀୟ ବିଲ୍‌ ପୈଠ କରିଥିଲେ। ହେଲେ ଉକ୍ତ ଷ୍ଟୋରରୁ ବାହାରିବା ପରେ ଦେଖିଲେ ଯେ, ତାଙ୍କ କାର କାଚକୁ ଜଣେ ବ୍ୟକ୍ତି ସଫା କରୁଛନ୍ତି। ଏହାକୁ ସେ ଖ୍ରୀଷ୍ଟମାସ୍‌ ମ୍ୟାଜିକ୍‌ ଭାବିଲେ। ଖ୍ରୀଷ୍ଟମାସ୍‌ ସମୟ ହୋଇଥିବାରୁ ଉକ୍ତ ବ୍ୟକ୍ତିଜଣକ ଉଦାର ଭାବନାରେ ପ୍ରେରିତ ହୋଇ ଏଭଳି କରୁଥିବା ମେରି ଭାବିନେଲେ। କୃତଜ୍ଞତା ଜଣାଇବା ପାଇଁ ମେରି ଉକ୍ତ ବ୍ୟକ୍ତିଙ୍କ ପାଖକୁ ଯାଇ ତାଙ୍କୁ କୁଣ୍ଢାଇ ପକାଇଥିଲେ ଏବଂ କହିଥିଲେ, ‘ଏଭଳି ମାନବିକତା ଭାବନାକୁ ମୁଁ ପସନ୍ଦ କରେ। ଖ୍ରୀଷ୍ଟମାସ୍‌କୁ ବହୁତ ଭଲ ପାଏ। ଏଭଳି କାର୍ଯ୍ୟ କରିଥିବାରୁ ଧନ୍ୟବାଦ’। କିନ୍ତୁ ଏହାର କିଛି କ୍ଷଣ ଭିତରେ ସେ ନିଜକୁ ଅଡ଼ୁଆ ଅନୁଭବ କଲେ, ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ଉକ୍ତ କାର ତାଙ୍କର ନୁହେଁ। ବ୍ୟକ୍ତିଜଣକ ନିଜ କାରର କାଚକୁ ସଫା କରୁଥିଲେ। ମେରି ଉକ୍ତ ଘଟଣାକୁ ବର୍ଣ୍ଣନା କରି ଯେଉଁ ଭିଡିଓ ପୋଷ୍ଟ କଲେ ତାହାକୁ ଅନେକେ ପସନ୍ଦ କରିଛନ୍ତି। ଜଣେ ବ୍ୟକ୍ତି କମେଣ୍ଟ କରିଛନ୍ତି ଯେ, ଏଭଳି ଘଟଣା ତାଙ୍କ ଜୀବନରେ ସବୁଠୁ ମଜାଳିଆ। ସେହିପରି ଆଉ ଜଣେ କହିଛନ୍ତି ‘ହେ ଭଗବାନ୍‌! ଖ୍ରୀଷ୍ଟମାସ ମ୍ୟାଜିକ୍‌ ସେହି ବ୍ୟକ୍ତିଙ୍କ ପାଇଁ କାମ କଲା। ସେ ମାଗଣାରେ ଆଲିଙ୍ଗନ ସ୍ନେହ ପାଇଲେ।’ ମେରି କହିଛନ୍ତି ଯେ, ଏହି ଘଟଣାରେ ତାଙ୍କୁ ବହୁତ ଖୁସି ମିଳିଛି।

Share