ଆମେରିକୀୟଙ୍କ ପ୍ରବେଶକୁ ମେକ୍ସିକୋର ବିରୋଧ

ମେକ୍ସିକୋ ସିଟି,୨୭ା୩(ପି.ଟି.): ମେକ୍ସିକୋ ନାଗରିକମାନଙ୍କ ପ୍ରବେଶକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜୋର୍‌ଦାର ବିରୋଧ କରିଆସୁଥିଲେ। ମେକ୍ସିକୀୟମାନଙ୍କ ଯୋଗୁ ଆମେରିକାରେ ଅର୍ଥନୈତିକ ଓ ସାମାଜିକ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ କରି ସେମାନଙ୍କ ପ୍ରବେଶ ବନ୍ଦ ଲାଗି ଟ୍ରମ୍ପ୍‌ ସୀମାରେ ପାଚେରି ନିର୍ମାଣ କରାଉଛନ୍ତି। ହେଲେ କରୋନା ଯୋଗୁ ସ୍ଥିତି ବଦଳିଯାଇଛି। ଏବେ ମେକ୍ସିକୋ ବାସିନ୍ଦା ଆମେରିକୀୟଙ୍କ ପ୍ରବେଶକୁ ବିରୋଧ କରୁଛନ୍ତି। କରୋନା ସଂକ୍ରମଣ ଭୟରେ ଆମେରିକା ସହ ଥିବା ସୀମାକୁ ବନ୍ଦ କରିଦେଇଛନ୍ତି ମେକ୍ସିକୋର ଜନସାଧାରଣ। ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି। ଏପରିସ୍ଥଳେ କୋଭିଡ୍‌-୧୯ ପରୀକ୍ଷା କରି ନ ଥିବା କୌଣସି ଆମେରିକୀୟ ଯଦି ମେକ୍ସିକୋ ଚାଲିଆସନ୍ତି, ତେବେ ସେଠାରେ ଏହି ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବ। ଏହି ଆଶଙ୍କାରେ ମେକ୍ସିକୋ ବିକ୍ଷୋଭକାରୀମାନେ ଆମେରିକା ସହ ଥିବା ଏକ ସୀମାନ୍ତ କ୍ରସିଂକୁ ବନ୍ଦ କରିଦେଇଛନ୍ତି। ବୁଧବାର କ୍ରସିଂ ଚେକ୍‌ ପଏଣ୍ଟ ବନ୍ଦ କରିବା ପରେ ଆରିଜୋନା ସୀମାକୁ ଲାଗିଥିବା ସୋନୋରାର ବାସିନ୍ଦା ମେକ୍ସିକୋ ଭିତରକୁ ଆମେରିକୀୟଙ୍କୁ ଛାଡ଼ିବେ ନାହିଁ ବୋଲି ଶପଥ ନେଇଛନ୍ତି।
ସୂଚନାଯୋଗ୍ୟ, ମେକ୍ସିକୋରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ ଥିବାବେଳେ ଆମେରିକାରେ ତାହା ୬୫,୦୦୦ ଅତିକ୍ରମ କଲାଣି। ତେଣୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବ୍ୟତୀତ ସୀମାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ଲାଗି ମେକ୍ସିକୋ ବାସିନ୍ଦା ଚାହୁଁଛନ୍ତି। ମେକ୍ସିକୋରେ ପ୍ରବେଶ କରିବାକୁ ଚାହୁଁଥିବା ଆମେରିକୀୟଙ୍କର କୋଭିଡ୍‌-୧୯ ପରୀକ୍ଷା ପରେ ଅନୁମତି ଦେବାକୁ ସୋନୋରାନ୍ସ ଫର୍‌ ହେଲ୍‌ଥ ଆଣ୍ଡ ଲାଇଫ୍‌ ସଂଗଠନ ପକ୍ଷରୁ ଦାବି କରାଯାଇଛି। କରୋନା ବିରୋଧରେ ଯଥେଷ୍ଟ ପ୍ରତିକାର ପଦକ୍ଷେପ ଗ୍ରହଣ କରି ନ ଥିବାରୁ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ୍‌ ମାନୁଏଲ ଲୋପେଜ୍‌ ଓବ୍ରାଡର ସମାଲୋଚିତ ହୋଇଛନ୍ତି। ଆମେରିକା ସହ ସୀମାକୁ ସମ୍ପୂର୍ଣ୍ଣ ସିଲ୍‌ କରିବା ଲାଗି ଉକ୍ତ ସଂଗଠନ ପକ୍ଷରୁ ଦାବି ହୋଇଛି।

Share