ଆମେରିକା, ୟୁରୋପକୁ ରୁହାନିଙ୍କ ଧମକ: ଆଗକୁ ଭୟାବହ ପରିଣତି

ତେହେରାନ,୧୬ା୧: ୨୦୧୫ ଇରାନ ଆଣବିକ ଚୁକ୍ତିରୁ ଆମେରିକା ଓହରିଯିବା ଏକ ବଡ଼ ବିପଦ। ମଧ୍ୟପ୍ରାଚ୍ୟରେ ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକର ସୈନ୍ୟ ମୁତୟନର ପରିଣାମ ଭୟଙ୍କର ହେବ ବୋଲି ବୁଧବାର ଇରାନ ରାଷ୍ଟ୍ରପତି ହାସନ ରୁହାନି ଧମକ ଦେଇଛନ୍ତି।
ଦେଶର ସରକାରୀ ଟିଭି ଚ୍ୟାନେଲରେ ଏକ କ୍ରୋଧପୂର୍ଣ୍ଣ ଭାଷଣ ଦେଇ ରୁହାନି କହିଛନ୍ତି, ମଧ୍ୟପ୍ରାଚ୍ୟରେ ଆମେରିକାର ସୈନ୍ୟ ଆଦୌ ସୁରକ୍ଷିତ ନୁହନ୍ତି। ସେହିପରି ୟୁରୋପୀୟ ସୈନ୍ୟମାନଙ୍କ ପାଇଁ ମଧ୍ୟ ଆସନ୍ତା କାଲି ବଡ଼ ବିପଦ ସୃଷ୍ଟି ହୋଇପାରେ। ଆମେରିକା ତା’ର ପୂର୍ବ ଅପରାଧଗୁଡ଼ିକ ପାଇଁ ତେହେରାନକୁ କ୍ଷମାମାଗିବା ଉଚିତ। ଓ୍ବାଶିଂଟନ ସମ୍ପୃକ୍ତ ଅଞ୍ଚଳରେ ଅସ୍ଥିରତା ଓ ଅସୁରକ୍ଷା ସୃଷ୍ଟି ପାଇଁ ଉଦ୍ୟମ କରୁଥିବାରୁ ତୁରନ୍ତ ସେନା ପ୍ରତ୍ୟାହାର ନ କଲେ ପରିଣାମ ଭୋଗିବ ବୋଲି ସେ ଚେତାବନୀ ଦେଇଛନ୍ତି। ସେହିପରି ୟୁରୋପୀୟ ସଂଘ (ଇୟୁ) ଆଣବିକ ଚୁକ୍ତିକୁ ନେଇ ନିଜ ପ୍ରତିଶ୍ରୁତି ପାଳନ କରୁ। ଇୟୁ ଏକ ସ୍ବାଧୀନ ବ୍ଲକ୍‌ ଭାବେ କାର୍ଯ୍ୟ କରିବାରେ ବିଫଳ ହୋଇଛି। ତେଣୁ ଇୟୁ ମଧ୍ୟ ଇରାନକୁ କ୍ଷମାମାଗିବା ଦରକାର। ଏହି ଅବସରରେ ସେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କୁ ତାଚ୍ଛଲ୍ୟ କରିଛନ୍ତି। କାରଣ ବୋରିସ୍‌ ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଏକ ନୂଆ ଆଣବିକ ଚୁକ୍ତି ପାଇଁ ପରାମର୍ଶ ଦେଇଥିଲେ। ଟ୍ରମ୍ପ୍‌ କେବେହେଲେ ନିଜ ପ୍ରତିଶ୍ରୁତି ରକ୍ଷା କରୁ ନ ଥିବାରୁ ବୋରିସ୍‌ଙ୍କ ପ୍ରସ୍ତାବ ହାସ୍ୟାସ୍ପଦ ବୋଲି କ୍ଷୁବ୍ଧ ରୁହାନି କହିଛନ୍ତି। ପ୍ରକାଶ ଯେ ଇରାକ ରାଜଧାନୀ ବାଗଦାଦସ୍ଥିତ ବିମାନବନ୍ଦରରେ ଗତ ୩ ତାରିଖରେ ଇରାନର କୁଦ୍‌ସ ଫୋର୍ସ କମାଣ୍ଡର ଜେନେରାଲ କାସିମ ସୋଲେମାନୀଙ୍କୁ ଆମେରିକା ଡ୍ରୋନ୍‌ ଆକ୍ରମଣରେ ହତ୍ୟା କରିଥିଲା। ସେବେଠୁ ଦୁଇଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି।

Share