ଆମେରିକା ବି ମାନିଲା:ପାକିସ୍ତାନରେ ରହୁଛି ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ ଇବ୍ରାହିମ୍‌

ଓ୍ବାଶିଂଟନ୍‌, ୩।୭: ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ ଇବ୍ରାହିମ୍‌ ପାକିସ୍ତାନରେ ହିଁ ଅଛି ବୋଲି ଆମେରିକା ଯାଞ୍ଚ୍‌ ଏଜେନ୍ସି ଏଫବିଆଇ ଲଣ୍ଡନର ଏକ ଅଦାଲତରେ ଦାବି କରିଛି। ଦାଉଦ ପାକିସ୍ତାନରେ ରହୁଥିବାର ସମସ୍ତ ପ୍ରମାଣ ରହିଛି। ସେ କରାଚିରେ ରହି ନିଜ ସଂଗଠନ ଚଳାଉଛନ୍ତି ବୋଲି ଏଫବିଆଇ ଅଭିଯୋଗ କରିଛି। ଦାଉଦର ଖାସ୍‌ ସହଯୋଗୀ ଜାବିର ମୋତିଓ୍ବାଲା ଆମେରିକା ପ୍ରତ୍ୟର୍ପଣ ପାଇଁ ଚେଷ୍ଟା ଚାଲିଥିବାବେଳେ ଆମେରିକା ଓକିଲ ଜନ୍‌ ହାଡି ଲଣ୍ଡନର ଏକ କୋର୍ଟରେ ନିଜ ପକ୍ଷ ରଖି କହିଛନ୍ତି, ଏଫବିଆଇ ନ୍ୟୁୟର୍କରେ ଡି କମ୍ପାନୀର ଲିଙ୍କ୍‌ ବିଷୟରେ ଯାଞ୍ଚ୍‌ କରୁଛି। ଏହି କମ୍ପାନୀର ନେଟଓ୍ବାର୍କ ଭାରତ, ପାକିସ୍ତାନ ଏବଂ ୟୁଏଇକୁ ବ୍ୟାପିଛି। ଏହି କମ୍ପାନୀର ମୁଖ୍ୟ ୧୯୯୩ ମୁମ୍ବାଇ ସିରିଜ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ତଥା ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମ। ଯାଞ୍ଚ୍‌ ପରେ ସବୁ ତଥ୍ୟ ପଦାକୁ ଆସିବ ବୋଲି ଜନ୍‌ କହିଛନ୍ତି।

Share