ଆମେରିକା ଓ୍ବେବ୍‌ସାଇଟ୍‌ ହ୍ୟାକ୍‌

ଓ୍ବାଶିଂଟନ,୬ା୧, (ପି.ଟି./ଆଇଏଏନ୍‌ଏସ୍‌): ଆମେରିକା ଓ ଇରାନ ପରସ୍ପରକୁ ଟାର୍ଗେଟ କରିବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ଆମେରିକାର ଏକ ସରକାରୀ ଓ୍ବେବ୍‌ସାଇଟ୍‌ ଶନିବାର ହ୍ୟାକ୍‌ ହୋଇଯାଇଛି। ଇରାନର ହ୍ୟାକରମାନେ ଏପରି କରିଥିବା ଦାବି କରିଛନ୍ତି। ହ୍ୟାକର୍ସଙ୍କ ମତରେ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ କରି ସେମାନେ ଇରାନ ସେନା କମାଣ୍ଡର କାସିମ ସୋଲେମାନୀଙ୍କ ହତ୍ୟାର ପ୍ରତିଶୋଧ ନେଇଛନ୍ତି। ଆମେରିକା ପାଇଁ ଏହା ଏକ ସନ୍ଦେଶ ବୋଲି ହ୍ୟାକର୍ସ ଏଥିରେ ଉଲ୍ଲେଖ କରିଛନ୍ତି।
ଫେଡେରାଲ ଡିପୋଜିଟୋରି ଲାଇବ୍ରେରି ପ୍ରୋଗ୍ରାମ୍‌ର ଓ୍ବେବ୍‌ସାଇଟ୍‌କୁ ହ୍ୟାକ୍‌ କରିବା ପରେ ହ୍ୟାକରମାନେ ସେଥିରେ ଏକ ମେସେଜ୍‌ ପୋଷ୍ଟ କରିଛନ୍ତି। ସେଥିରେ ଲେଖାଅଛି, ‘ଇରାନିଏନ୍‌ ହ୍ୟାକର୍ସ!’ ଉକ୍ତ ମେସେଜରେ ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଖାମିନି ଓ ଜାତୀୟ ପତାକା ଫଟୋ ରହିଛି। ‘ସୋଲେମାନୀଙ୍କ ତ୍ୟାଗ ଅନେକ ବର୍ଷର ଅକ୍ଳାନ୍ତ ଉଦ୍ୟମର ପୁରସ୍କାର’ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଏକ ଫଟୋରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଶକ୍ତ ମୁଥ ମରାଯାଇଛି, ଯାହା ଫଳରେ ତାଙ୍କ ମୁହଁରୁ ରକ୍ତସ୍ରାବ ହେଉଛି। ଇରାନ ସାଇବର ସିକ୍ୟୁରିଟି ଗ୍ରୁପ୍‌ ହ୍ୟାକର୍ସଙ୍କ ପକ୍ଷରୁ ଓ୍ବେବ୍‌ସାଇଟକୁ ହ୍ୟାକ୍‌ କରାଯାଇଥିବା ଦାବି କରାଯାଇଛି। ଏହା ପୂର୍ବରୁ ୨୦୧୨ ଓ ୨୦୧୩ରେ ଇରାନ ଉପରେ ଆମେରିକା କଟକଣା ଜାରି କରିଥିଲା। ଏହାର ଜବାବରେ ଇରାନର ହ୍ୟାକରମାନେ ବ୍ୟାଙ୍କ ଅଫ୍‌ ଆମେରିକା ସମେତ ଦେଶର କେତେକ ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ, ନ୍ୟୁୟର୍କ ଷ୍ଟକ୍‌ ଏକ୍ସଚେଞ୍ଜ ଏବଂ ଏନ୍‌ଏସ୍‌ଏଡିକ୍ୟୁ ହ୍ୟାକ୍‌ କରିଦେଇଥିଲେ। ଏସବୁକୁ ଦୃଷ୍ଟିରେ ରଖି ଆମେରିକାର ହୋମ୍‌ଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ଦେଶବାସୀଙ୍କୁ ପ୍ରସ୍ତୁତ ରହିବାକୁ ସତର୍କ କରାଇଛି।

Share