ଆମେରିକାରେ ଲକ୍ଷେ ଟପିଲା ମୃତ୍ୟୁ

ଓ୍ବାଶିଂଟନ/ମସ୍କୋ,୨୭ା୫: କରୋନା ଭୂତାଣୁ ବିଶ୍ୱର ୨୧୩ ଦେଶକୁ ଆକ୍ରାନ୍ତ କରିଥିବା ବେଳେ ଆମେରିକାରେ ସ୍ଥିତି ସବୁଠାରୁ ଜଟିଳ ରହିଛି। ଏଠାରେ ମୃତ୍ୟୁସଂଖ୍ୟା ୧ ଲକ୍ଷ ଟପିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୧୭.୧୩ ଲକ୍ଷ ପାର୍‌ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬,୭୭୪ ନୂଆ ମାମଲା ଏହି ଦେଶରେ ଦେଖିବାକୁ ମିଳିଥିବା ବେଳେ ୨୧୬ ଜଣଙ୍କ ଜୀବନ ଯାଇଛି। ଦ୍ରୁତ ବେଗରେ ଏଠାରେ ଭୂତାଣୁ ସଂକ୍ରମଣ ହେଉଥିବା ଜଣାପଡ଼ିଛି।
ବିଶ୍ୱରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୫୬.୩୬ ଲକ୍ଷ ଟପିଥିବା ବେଳେ ୩.୪୯ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ମଙ୍ଗଳବାର ୫୩ ହଜାରରୁ ଊର୍ଦ୍ଧ୍ୱ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ପ୍ରାୟ ୧୭ଶହ ଲୋକଙ୍କ ମୃତ୍ୟୁ ଘଟିଥିବା ପ୍ରକାଶ। ଆମେରିକା ପରେ ସର୍ବାଧିକ କରୋନା ଭୂତାଣୁ କବଳରେ ପଡ଼ିଛି ବ୍ରାଜିଲ। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୩.୭୭ ଲକ୍ଷ ପାର୍‌ କରିଛି। ୨୩,୬୦୬ ଜଣ ବ୍ୟକ୍ତି ସଂକ୍ରମଣ ହୋଇ ଜୀବନ ହାରିଥିବା ଜଣାପଡ଼ିଛି। ରୁଷିଆ ତୃତୀୟ ସର୍ବାଧିକ ସଂକ୍ରମଣ ଦେଶ ତାଲିକାରେ ରହିଥିବା ବେଳେ ୩.୬୨ ଲକ୍ଷରୁ ଅଧିକ ଲୋକ ଏଠାରେ କରୋନା କବଳକୁ ଚାଲିଆସିଛନ୍ତି। ଏଠାରେ ମୃତ୍ୟୁସଂଖ୍ୟା ବଢ଼ି ୩,୮୦୭ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ବ୍ରାଜିଲରେ ୧,୦୪୨ ଓ ରୁଷିଆରେ ୮,୯୧୫ ନୂଆ ସଂକ୍ରମଣ ମାମଲା ନଜରକୁ ଆସିଛି। ସ୍ପେନ୍‌, ବ୍ରିଟେନ, ଇଟାଲୀ, ଫ୍ରାନ୍ସ, ଜର୍ମାନୀରେ ମଧ୍ୟ ସ୍ଥିତି ସଙ୍ଗିନ ରହିଛି। ଏହିସବୁ ଦେଶଗୁଡ଼ିକରେ କରୋନା ମୃତ୍ୟୁସଂଖ୍ୟା ବଢ଼ି ଯଥାକ୍ରମେ ୨୬,୮୩୭, ୩୭,୦୪୮, ୩୨,୯୫୫, ୨୮,୪୩୨ ଓ ୮,୪୪୯ ରହିଛି। ଦିନକୁ ଦିନ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଆମେରିକା, ୟୁରୋପ ଭଳି ଏସିଆ ଓ ଆଫ୍ରିକୀୟ ଦେଶଗୁଡ଼ିକରେ କରୋନା ଭୂତାଣୁ ବଢ଼ି ବଢ଼ି ଚାଲିଛି।

Share