ଆମେରିକାରେ ନ ଥିବେ ଡୋନାଲ୍ଡ ଟ୍ରମ୍ପଙ୍କ ଏମିତି ପ୍ରଶଂସକ!

ହାଇଦ୍ରାବାଦ୍‌,୧୮।୨: ଫେବୃୟାରୀ ୨୪ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ଅହମଦାବାଦ ଯିବେ। ତାଙ୍କୁ ସ୍ବାଗତ କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଟ୍ରମ୍ପଙ୍କୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ତେବେ ଟ୍ରମ୍ପଙ୍କ ଏକ ନିଆରା ପ୍ରଶଂସକଙ୍କୁ ତେଲଙ୍ଗାନାରେ ଦେଖିବାକୁ ମିଳିଛି। ଏଠାରେ ଜଣେ କୃଷକ ନିଜ ଘରେ ଟ୍ରମ୍ପଙ୍କ ୬ ଫୁଟ ଉଚ୍ଚ ମୂର୍ତ୍ତି ନିର୍ମାଣ କରିଛନ୍ତି। ପ୍ରତିଦିନ ସେ ଏହି ମୂର୍ତ୍ତିକୁ ପୂଜା କରନ୍ତି। କ୍ଷୀରରେ ଅଭିଷେକ କରନ୍ତି। ଏପରିକି ତାଙ୍କ ମୋବାଇଲ୍‌ ବ୍ୟାକ୍‌ କଭର୍‌ରେ ବି ଟ୍ରମ୍ପଙ୍କ ଫଟୋ ରହିଛି। ବୁଶା କୃଷ୍ଣା ନାମକ ଏହି ବ୍ୟକ୍ତି ଜଣକ ହାଇଦ୍ରାବାଦଠାରୁ ୧୨୦ କିମି ଦୂରରେ ଥିବା ଜନଗାଓଁ ଜିଲାରେ ରୁହନ୍ତି। ଗତବର୍ଷ ଟ୍ରମ୍ପଙ୍କ ଜନ୍ମଦିନ ଅବସରରେ ସେ ତାଙ୍କ ମୂର୍ତ୍ତି ସ୍ଥାପନ କରିଥିଲେ। ସେ କହିଛନ୍ତି, ଟ୍ରମ୍ପ ଜଣେ ସାହସୀ ନେତା। ନିଜ ଦେଶର ମଙ୍ଗଳ ପାଇଁ ସେ ସବୁକିଛି କରିବାକୁ ପ୍ରସ୍ତୁତ ଥାନ୍ତି। ତାଙ୍କ ଭାରତ ଗସ୍ତକୁ ନେଇ ବେଶ୍‌ ଖୁସି ଅଛନ୍ତି କୃଷ୍ଣା। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ହରିୟାଣାର ଏକ ଗ୍ରାମକୁ ଟ୍ରମ୍ପ ନାମରେ ନାମିତ କରାଯାଇଛି। ମଓ୍ବୋନସ୍ଥିତ ମରୋଡା ଗ୍ରାମରେ ଟ୍ରମ୍ପ ବେଶ୍‌ ପ୍ରସିଦ୍ଧ। ତେଣୁ ଏହି ଗ୍ରାମକୁ ମରୋଡା ପରିବର୍ତ୍ତେ ଡୋନାଲ୍ଡ ଟ୍ରମ୍ପ ଗ୍ରାମ ବୋଲି ଡକାଯାଉଛି। କିନ୍ତୁ ସରକାରୀ କାଗଜପତ୍ରରେ ମରୋଡା ଗ୍ରାମ ହିଁ ରହିଛି।
୍‌

Share