ଆମେରିକାକୁ ଚାଇନାର କଡ଼ା ଜବାବ: ଭାରତ-ଚାଇନା ସୀମା ସ୍ଥିତି ସ୍ଥିର, ତୃତୀୟପକ୍ଷର ହସ୍ତକ୍ଷେପ ଅନାବଶ୍ୟକ

ବେଜିଂ, ୩।୬: ଭାରତ-ଚାଇନା ସୀମାରେ କିଛି ଦିନ ଧରି ଉତ୍ତେଜନା ଲାଗି ରହିଛି। ଏହାର ସମାଧାନ ପାଇଁ ଆମେରିକା ନିଜେ ହସ୍ତକ୍ଷେପ କରିବା ସମ୍ପର୍କରେ ସୂଚନା ଦେଇଥିଲା। ସୀମା ଉତ୍ତେଜନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ଫୋନ୍‌ରେ କଥାବାର୍ତ୍ତା ହୋଇଥିଲେ। ଏହାପରେ ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆମେରିକାକୁ କଡ଼ା ଜବାବ ଦିଆଯାଇଛି। ଭାରତ-ଚାଇନାର ସୀମା ସ୍ଥିତି ସ୍ଥିର ରହିଛି। ଏପରିସ୍ଥଳେ କୌଣସି ତୃତୀୟପକ୍ଷର ହସ୍ତକ୍ଷେପ ଅନାବଶ୍ୟକ ବୋଲି ଚାଇନା ଆମେରିକା ଉଦ୍ଦେଶ୍ୟରେ କହିଛି। ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ଜାହାଓ ଲିଜିଆନ୍‌ ଏହି ପ୍ରସଙ୍ଗରେ ବୁଧବାର କହିଛନ୍ତି ଯେ, ସୀମାରେ ସୃଷ୍ଟି ହୋଇଥିବା ଉତ୍ତେଜନାର ସମାଧାନ ବେଜିଂ ଏବଂ ନୂଆଦିଲ୍ଲୀ କରିବାକୁ ସକ୍ଷମ। ତୃତୀୟପକ୍ଷ ଏନେଇ ଚିନ୍ତା କରିବା ଉଚିତ ନୁହେଁ। ଚାଇନାର ଏଭଳି ମନ୍ତବ୍ୟ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share