Categories: ଖେଳ

ଆମିସଙ୍କ ନାମରେ ପ୍ରଥମ ବିଶ୍ୱକପ୍‌ ଶତକ

ନୂଆଦିଲ୍ଲୀ, ୨୩।୫- ଆଇସିସି ବିଶ୍ୱକପ୍‌ ଆସନ୍ତା ୩୦ରୁ ବ୍ରିଟେନରେ ଆରମ୍ଭ ହେବ। କ୍ରିକେଟ ବିଶ୍ୱକପ୍‌ର ଏହାହେବ ଦ୍ୱାଦଶ ସଂସ୍କରଣ। ଏହା ମଧ୍ୟରେ ବିଶ୍ୱକପ୍‌ରେ ଅନେକ ରେକର୍ଡ ଭଙ୍ଗ ହୋଇଥିବାବେଳେ ଅନେକ ନୂତନ ରେକର୍ଡ ସୃଷ୍ଟି ହୋଇଛି। ତେବେ କ୍ରିକେଟର ଏହି ମହାକୁମ୍ଭରେ ପ୍ରଥମ ଶତକ ହାସଲ କରିବାର ସୌଭାଗ୍ୟ ଲାଭ କରିଥିଲେ ଇଂଲଣ୍ଡର ଡେନିସ ଆମିସ। ୧୯୭୫ରେ ଅନୁଷ୍ଠିତ ବିଶ୍ୱକପ୍‌ ପ୍ରଥମ ସଂସ୍କରଣର ଉଦ୍‌ଘାଟନୀ ଦିବସ ଜୁନ ୭ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଅବସରରେ ଆମିସ ଏହି କୃତୀତ୍ୱ ହାସଲ କରିଥିଲେ। ଆମିସ ଏହି ମ୍ୟାଚ୍‌ରେ ୧୩୭ ରନର ଇନିଂସ ଖେଳିଥିଲେ। ଆମିସଙ୍କ ଶତକୀୟ ଇନିଂସ ବଳରେ ଇଂଲଣ୍ଡ ୬୦ ଓଭରରେ ୩୩୪ ରନର ବିଶାଳ ସ୍କୋର କରିଥିଲା। ଭାରତ ଏହି ମ୍ୟାଚ୍‌ରେ ପରାଜୟବରଣ କରିଥିବାବେଳେ ଇଂଲଣ୍ଡର ଏହି ସ୍କୋର ୮ ବର୍ଷ ପର୍ଯ୍ୟନ୍ତ ବିଶ୍ୱକପ୍‌ରେ ସର୍ବୋଚ୍ଚ ଦଳଗତ ସ୍କୋର ଭାବେ ରେକର୍ଡ ବୁକ୍‌ରେ ରହିଥିଲା। ଏଠାରେ ଉଲ୍ଳେଖଯୋଗ୍ୟ, ସେହି ସମାନ ଦିନ ଇଷ୍ଟ ଆଫ୍ରିକା ବିପକ୍ଷରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚରେ ନ୍ୟୁଜିଲାଣ୍ଡର ଗ୍ଲେନ ଟର୍ନର ମଧ୍ୟ ଶତକ ଅର୍ଜନ କରିଥିଲେ। ଟର୍ନର ଏହି ମ୍ୟାଚ୍‌ରେ ୧୭୧ ରନର ମାରାଥନ ଇନିଂସ ଖେଳିଥିଲେ ମଧ୍ୟ ତାଙ୍କ ପୂର୍ବରୁ ଆମିସ ପ୍ରଥମେ ଶତକ ହାସଲ କରିଥିବାରୁ ରେକର୍ଡ ବୁକ୍‌ରେ ତାଙ୍କ ନାମ ଲିପିବଦ୍ଧ ହୋଇ ରହିଥିଲା।

Share