ଆମିକସ୍‌ କ୍ୟୁରିଙ୍କୁ ୪୦ ପୃଷ୍ଠାର ପରାମର୍ଶପତ୍ର ଦେଲେ ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ, ୭ା୯: ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଶନିବାର ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀମନ୍ଦିର ପରମ୍ପରା, ସଂସ୍କୃତି, ପରିଚାଳନା ଆଦି ବିଭିନ୍ନ ପ୍ରସଙ୍ଗରେ ୪୦ ପୃଷ୍ଠାର ପରାମର୍ଶପତ୍ର ଆମିକସ୍‌ କ୍ୟୁରିଙ୍କୁ ପ୍ରଦାନ କରିଛନ୍ତି।
ଆମିକସ୍‌ କ୍ୟୁରିଙ୍କ ସହ ପ୍ରାୟ ୪୦ମିନିଟ୍‌ ଧରି ଅନୁଷ୍ଠିତ ରୁଦ୍ଧଦ୍ୱାର ଆଲୋଚନା ପରେ ଶଙ୍କରାଚାର୍ଯ୍ୟ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆଦି ଶଙ୍କରାଚାର୍ଯ୍ୟ ପୁନଃ ପ୍ରତିଷ୍ଠା କରିଥିଲେ। ଶ୍ରୀମନ୍ଦିର ଓ ପୁରୁଷୋତ୍ତମ କ୍ଷେତ୍ରର ପରିଚାଳନା ଦାୟିତ୍ୱ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟଙ୍କୁ ଦାୟିତ୍ୱ ଦେଇଥିଲେ। କିନ୍ତୁ ଏବେ ଏଥିରେ ସମ୍ପୂର୍ଣ୍ଣ ବ୍ୟତିକ୍ରମ କରାଯାଇଛି। ସୁପ୍ରିମ୍‌କୋର୍ଟ ମଧ୍ୟ କୌଣସି ସେକୁଲାର ତନ୍ତ୍ର ଧର୍ମପୀଠ ଉପରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କହିଛନ୍ତି। ଶ୍ରୀମନ୍ଦିରର ପରିଚାଳନା ଆଧ୍ୟାତ୍ମିକ ଓ ଧାର୍ମିକ ବିଚାରଧାରାରେ ହେବା ଉଚିତ। ଶ୍ରୀମନ୍ଦିରର ସଂସ୍କାର ଲାଗି ବି.ପି. ଦାସ କମିଶନ ପ୍ରସ୍ତୁତ କରିଥିବା ରିପୋର୍ଟରେ ଶଙ୍କରାଚାର୍ଯ୍ୟଙ୍କ ମତ ନେଇନାହାନ୍ତି। ଶ୍ରୀମନ୍ଦିରର କୌଣସି ଲିଖିତ ସମ୍ବିଧାନ ନାହିଁ। ସମ୍ବିଧାନ ବିହୀନ ମନ୍ଦିରର ବିକାଶ କଥା କିପରି ଉଠୁଛି। ସ୍କନ୍ଦ ଓ ବେଦ ପୁରାଣର ଆଚାର ସଂହିତା ଅନୁଯାୟୀ ଶ୍ରୀମନ୍ଦିର ପରିଚାଳନା କରାଯାଉ। ଏଭଳି ଅନେକ ପ୍ରସଙ୍ଗରେ ଆମିକସ୍‌ କ୍ୟୁରିଙ୍କ ସହିତ ଆଲୋଚନା ହୋଇଛି। କିନ୍ତୁ ଗୋବର୍ଦ୍ଧନ ମଠର ଜମି ସଂକ୍ରାନ୍ତରେ କୌଣସି ପ୍ରକାର କଥା ହୋଇ ନ ଥିବା ଶଙ୍କରାଚାର୍ଯ୍ୟ ପ୍ରକାଶ କରିଛନ୍ତି।