ଆମାଜନ୍‌ ଜଙ୍ଗଲରେ ପହଞ୍ଚିଲା କରୋନା: ୟାନୋମାମି ଜନଜାତି ବାଳକଙ୍କ ମୃତ୍ୟୁ

ସାଓ ପାଓଲୋ,୧୨।୪: କରୋନା ସଂକ୍ରମଣ ଏବେ ବ୍ରାଜିଲ୍‌ର ଆମାଜନ୍‌ ଜଙ୍ଗଲରେ ପହଞ୍ଚିଛି। ସଂକ୍ରମଣ ଯୋଗୁ ଏଠାରେ ଜଣେ ୧୫ ବର୍ଷ ବୟସ୍କ ୟାନୋମାମି ଜନଜାତି ବାଳକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କୁ ଏପ୍ରିଲ୍‌ ୩ରେ ଜ୍ୱର ହେବା ସହିତ ମୁଣ୍ଡବିନ୍ଧା, ଗଳାରେ ଯନ୍ତ୍ରଣା ଏବଂ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଦେଇଥିଲା। ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ପ୍ରଥମ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ପରେ ତାଙ୍କଠାରେ କରୋନା ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା। ଏହି ଜନଜାତିର ୭ଜଣ ଲୋକଙ୍କୁ ସଂକ୍ରମଣ ହେବାର ଆଶଙ୍କା ରହିଥିବା କୁହାଯାଉଛି। ଲକ୍‌ଡାଉନ୍‌ ଯୋଗୁ ବାଳକଙ୍କ ସ୍କୁଲ ବନ୍ଦ ହୋଇଯିବାରୁ ସେ ମ୍ୟୁକେଜଇ ନଦୀ କୂଳରେ ଥିବା ତାଙ୍କ ଘରକୁ ଫେରିଥିଲେ। ଏଠାରେ ୟାନୋମାମି ଜନଜାତିର ୨୦୦ଟି ଗାଁ ରହିଛି। ଉପଯୁକ୍ତ ପଦକ୍ଷେପ ଗ୍ରହଣ କରା ନ ଗଲେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରକାଶ କରିଛନ୍ତି।

Share