ଆମରଣ ଅନଶନରେ କାରାଗାର କର୍ମଚାରୀ

ବାରିପଦା,୨୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଜ୍ୟ ମହାସଂଘର ଡାକରା କ୍ରମେ ୫ଦଫା ଦାବି ନେଇ ମୟୂରଭଞ୍ଜ ଜିଲା କାରାଗାର କର୍ମଚାରୀମାନେ ସୋମବାରଠାରୁ ଆମରଣ ଅନଶନରେ ବସିଛନ୍ତି। ବାରିପଦାସ୍ଥିତ ମଣ୍ଡଳ କାରାଗାର ପରିସରରେ ଅନଶନ ଆରମ୍ଭ ହୋଇଛି। ଜେଲ କର୍ମଚାରୀଙ୍କ ମଧ୍ୟରେ କାରାରକ୍ଷୀଙ୍କ ଗ୍ରେଡ୍‌ ପେ’ ୨୦୦୦ ଓ ମୁଖ୍ୟ କାରାରକ୍ଷୀଙ୍କ ୨୪୦୦ ଟଙ୍କାକୁ ବୃଦ୍ଧି, କାରାରକ୍ଷୀରୁ ମୁଖ୍ୟ କାରାରକ୍ଷୀ ପଦବୀ ପାଇଁ ବରିଷ୍ଠତା ଭିଭିରେ ପୁରୁଣା ପଦୋନ୍ନତି ନିୟମ ୨୦୧୨ ଲାଗୁ କରିବା, ଉପଖଣ୍ଡସ୍ତରକୁ ବଦଳି ନିୟମ ବନ୍ଦ କରିବା, ଖାଦ୍ୟ ଭତ୍ତା ୧୪୦୦ ଟଙ୍କାକୁ ବୃଦ୍ଧି, ସପ୍ତମ ବେତନ କମିଶନ ୨୦୧୭ ଅନୁଯାୟୀ ୧୩ ମାସିଆ ଦରମା ବୃଦ୍ଧି ଆଦି ଦାବି ପତ୍ରରେ ଉଲ୍ଲେଖ ରହିଛି। ଉକ୍ତ କର୍ମଚାରୀମାନେ ସେପ୍ଟେମ୍ବର ୧୩ରୁ ୨୪ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ୍‌ ପରିଧାନ କରିଥିଲେ। ତେବେ ଦାବି ପୂରଣ ନ ହେବାରୁ ସୋମବାରଠାରୁ ଆମରଣ ଅନଶନରେ ବସିଥିବା ବାରିପଦା ମଣ୍ଡଳ ସଭାପତି ଜଗନ୍ନାଥ ବେହେରା ସୂଚନା ଦେଇଛନ୍ତି।