Categories: ଜାତୀୟ

ଆମକୁ ପଢ଼ାଅନି ରାଜଧର୍ମ ପାଠ

ନୂଆଦିଲ୍ଲୀ, ୨୯ା୨: ଦିଲ୍ଲୀ ହିଂସାକୁ ନେଇ ଭାଜପା ରାଜଧର୍ମ ପାଳନ କରୁ ବୋଲି କଂଗ୍ରେସ କହିବା ପରେ ଏହାର ଜବାବ ଦେଇଛି ଶାସକ ଦଳ। ଆମକୁ ରାଜଧର୍ମ ପାଠ ପଢ଼ାଅନି ବୋଲି ଭାଜପା ନେତା ତଥା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି। କଂଗ୍ରେସ ପ୍ରତିନିଧିଦଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ରାଜଧର୍ମ ପାଳନ କରିବାକୁ ସରକାରଙ୍କୁ ପରାମର୍ଶ ଦେବାକୁ କହିଥିଲେ। ଇନ୍ଦିରା ଗାନ୍ଧୀ ଉଗାଣ୍ଡାରୁ ଆସିଥିବା ଲୋକଙ୍କୁ ସହଯୋଗ କରିଥିଲେ। ଶ୍ରୀଲଙ୍କା ତାମିଲଙ୍କୁ ରାଜୀବ ଗାନ୍ଧୀ ସହଯୋଗ କରିଥିଲେ। ମନମୋହନ ସିଂ, ତରୁଣ ଗୋଗୋଇ, ଅଶୋକ ଗେହଲଟ ନାଗରିକତା ପ୍ରଦାନ ଲାଗି ସେମାନଙ୍କ ସ୍ବର ଶାଣିତ କରିଛନ୍ତି। ତେବେ କଂଗ୍ରେସ କାହାକୁ ରାଜଧର୍ମ କହୁଛି ବୋଲି ପ୍ରସାଦ ସୋନିଆଙ୍କୁ ପ୍ରଶ୍ନ କରିଛନ୍ତି। ସିଏଏ ବିରୋଧୀ ରାଲିରେ ‘ଏପଟେ ନ ହେଲେ ସେପଟେ’ ବୋଲି ସୋନିଆ କହିବା ହିଂସାକାଣ୍ଡକୁ ବଢ଼ାଇବା ଲାଗି ଉଦ୍ଦିଷ୍ଟ। ପାର୍ଲାମେଣ୍ଟରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରାଯାଇଥିବା ବେଳେ ଦଙ୍ଗା ସୃଷ୍ଟି ଲାଗି ଏମିତି ଉସୁକାଯିବାର ମାନେ କ’ଣ ବୋଲି ରବିଶଙ୍କର କହିଛନ୍ତି। ୨୦୧୦ ମାର୍ଚ୍ଚ ୧୫ରେ ୟୁପିଏ ସରକାର ଏନ୍‌ପିଆର୍‌ ଲାଗି ବିଜ୍ଞପ୍ତି ଜାରି କରିଥିଲା। ଏବେ କଂଗ୍ରେସ ଏହାକୁ ବିରୋଧ କରୁଛି। ଦିଲ୍ଲୀ ଦଙ୍ଗାକୁ ରାଜନୈତିକ ରୂପ ଦେଉଥିିବା କଂଗ୍ରେସର ପ୍ରୟାସକୁ ଭାଜପା ନିନ୍ଦା କରୁଥିବା ସେ ପ୍ରକାଶ କରିଛନ୍ତି।

Share