ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ଆଣିଲା ଭାଜପା

ଭୁବନେଶ୍ୱର,୧୬ା୨(ବ୍ୟୁରୋ): ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଭାଜପା ପକ୍ଷରୁ ଅଭିଯୋଗ ହୋଇଆସୁଛି। ଏହି ଯୋଜନାରେ ସରକାର ଗତ ଅକ୍ଟୋବର ୧୦ରେ ପ୍ରଥମ ତାଲିକା ପ୍ରକାଶ କରିଥିଲେ। ଏଥିରେ ୧୨,୭୫,୦୦୦ ହିତାଧିକାରୀଙ୍କର ନାମ ଥିଲା । ହେଲେ ଏହି ତାଲିକାରେ ଅନେକ ଅଯୋଗ୍ୟ ହିତାଧିକାରୀ ରହିଥିବା ଭାଜପା ପକ୍ଷରୁ କୁହାଯାଇଛି। ଏନେଇ ଦଳୀୟ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ କରାଯିବା ସହ ପଞ୍ଚାୟତିରାଜ ଓ ପାନୀୟ ଜଳ ପ୍ରମୁଖ ସଚିବ ଦେଓ ରଞ୍ଜନ ସିଂଙ୍କୁ ଭେଟି ଏହାର ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ପୂର୍ବତନ ଏମ୍‌ପି ବିଭୁ ତରାଇ କହିଛନ୍ତି ଯେ, ରାଜ୍ୟ ସରକାର ଅଯୋଗ୍ୟ ହିତାଧିକାରୀଙ୍କୁ ସୁରକ୍ଷା ଦେବାକୁ ଯାଇ ଫେବୃୟାରୀ ୧୦ରୁ ୧୬ ମଧ୍ୟରେ ସମସ୍ତ ପଞ୍ଚାୟତ ଅଫିସ୍‌ରେ ଆବାସ ଯୋଜନାର ହିତାଧିକାରୀ ତାଲିକା ମରାଯିବା ସହ ଏକ ଅଭିଯୋଗ ବାକ୍ସ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯିଏ ନିଜକୁ ଅଯୋଗ୍ୟ ମନେକରିବ ଅଥବା ନିଜକୁ ଯୋଗ୍ୟ ଭାବିବ ସେମାନେ ଆବେଦନ କରିପାରିବେ ବୋଲି କୁହାଯାଇଛି । ହେଲେ କିଏ କାହିଁକି ନିଜକୁ ଅଯୋଗ୍ୟ ଘୋଷଣା କରି ଅଭିଯୋଗ ବାକ୍ସରେ ନିଜର ନାଁ ହିତାଧିକାରୀ ତାଲିକାରୁ କାଟିବା ପାଇଁ ଚାହିଁବ ବୋଲି ତରାଇ ପ୍ରଶ୍ନ କରିଛନ୍ତି। ସରକାର ତରବରିଆ ଭାବେ ଫେବୃୟାରୀ ୧୦ରୁ ୧୬ ଭିତରେ ଅଭିଯୋଗ କରିବା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି। ଅଥଚ ଏବେ ସୁଦ୍ଧା ଅନେକ ପଞ୍ଚାୟତ, ବ୍ଲକରେ ସର୍ବସାଧାରଣ ନୋଟିସ ଲାଗିନାହିଁ । ଅନୁରୂପ ଭାବେ ଅଭିଯୋଗ କରିବା ପାଇଁ ବାକ୍ସ ରଖାଯାଇନାହିଁ । ୧୫ ତାରିଖ ବିତିଯାଇଥିଲେ ବି ବିଡିଓଙ୍କ ପାଖରେ କୌଣସି ସୂଚନା ନାହିଁ । ପୁଣି ସରକାର ସେହି ନୋଟିସରେ ଲେଖିଛନ୍ତି ଯେ, ୨୫ ଫେବୃୟାରୀ ୨୦୨୦ରେ ତାଲିକା ପ୍ରକାଶ କରିବେ । ଏହା ପରେ ଏପ୍ରିଲରେ ଚୂଡାନ୍ତ ତାଲିକା ଆସିବ । ତେଣୁ ଚାଲାକି କରି ଶାସକ ଦଳର ଅଯୋଗ୍ୟ ହିତାଧିକାରୀମାନଙ୍କୁ ସୁରକ୍ଷା ଦେବା ପାଇଁ ଏପରି କରାଯାଇଥିବା ଭାଜପା ପକ୍ଷରୁ ଅଭିଯୋଗ ହୋଇଛି। ତେଣୁ ଏହି ଅଭିଯୋଗ ଗ୍ରହଣ ବ୍ୟବସ୍ଥାର ସମୟସୀମା ଏକ ମାସ ପର୍ଯ୍ୟନ୍ତ ବୃଦ୍ଧି କରିବା ସହ ପଞ୍ଚାୟତୱାରି ବକ୍ସ ରଖାଯାଉ ବୋଲି ଭାଜପା ପ୍ରସ୍ତାବ ଦେଇଛି। ସେହିପରି ଅଭିଯୋଗ କରିବାର ପୂରା ପ୍ରକ୍ରିୟାକୁ ଭିଡିଓଗ୍ରାଫି କରାଯିବା ସହିତ ଆବେଦନ କରୁଥିବା ଲୋକକୁ ଏକ ‘ପ୍ରାପ୍ତି ସ୍ବୀକାର‘ ଦିଆଯାଉ । ବିଭିନ୍ନ ମହଲରୁ ଚାପ ପରେ ସରକାର ଡେଡ୍‌ ଲାଇନ୍‌ ଚଳିତ ମାସ ୨୨କୁ ବୃଦ୍ଧି କରିଥିବା ଜଣାପଡ଼ିଛି।ଅଭିଯୋଗ ଗ୍ରହଣ କରିବାର ପଦ୍ଧତିରେ ସ୍ବଚ୍ଛତା ରଖାଯାଉ ବୋଲି ଦଳ ପକ୍ଷରୁ କୁହାଯାଇଛି।