Categories: ନୟାଗଡ଼

ଆବାସ ଯୋଜନାରୁ ବଞ୍ଚତ୍ତ ଯୋଗ୍ୟ ହିତାଧିକାରୀଭଙ୍ଗା, ନୁଆଁଣିଆ ଚାଳଘରେ କଟୁଛି ଜୀବନ

ରଣପୁର,୧୧।୬(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ଅଞ୍ଚଳରେ ଆବାସ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚତ୍ ପାରୁନି। ଭଙ୍ଗା ଦଦରା ନୁଅଁାଣିଆ ଚାଳ ଘରେ ରହୁଥିବା ପରିବାର ଘରଖଣ୍ଡେ ପାଇବାରୁ ବଞ୍ଚିତ ହେଉଛନ୍ତି।
ବାସହୀନ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଆବାସ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ଏବେବି ବହୁ ଗରିବ ପରିବାର ଅଛନ୍ତି ଯେଉଁମାନଙ୍କ ପାଇଁ ପକ୍କାଘର ସ୍ବପ୍ନ ପାଲଟିଛି । ପିସି କାରବାର କରି ଥିଲାବାଲା ଲୋକ ଏହି ଯୋଜନାକୁ ହାତେଇ ପକ୍କାଘର ନେଉଛନ୍ତି ।
ବ୍ଲକ ବଳଭଦ୍ରପୁର ପଞ୍ଚାୟତରେ ଏପରି ଅନିୟମିତତା ଦେଖିବାକୁ ମିଳିଛି। ଉକ୍ତ ପଞ୍ଚାୟତର ପରିଆ ପ୍ରଧାନ (୬୫), ସ୍ତ୍ରୀ ସାବିତ୍ରୀ (୫୫) ଓ ୨ପୁଅ, ୩ଝିଅଙ୍କୁ ନେଇ ତାଙ୍କ ପରିବାର । ଗ୍ରାମରେ କିଛି ଛେଳି ଚରାଇ ପରିବାର ପ୍ରତିପୋଷଣ କରନ୍ତି ପରିଆ। ଘରଡିହକୁ ଛାଡିଦେଲେ ସମ୍ପତ୍ତି ବୋଲି କିଛି ନାହିଁ ତାଙ୍କର। ବହୁ କଷ୍ଟରେ ଦୁଇ ଝିଅଙ୍କୁ ବିବାହ କରାଇଦେଇଛନ୍ତି। ଭଙ୍ଗା ମାଟି କାନ୍ଥ ଉପରେ ନୁଅଁାଣିଆ ଚାଳଛପର ଘରେ ରୁହନ୍ତି ତାଙ୍କ ପରିବାର। ପରିଆ ଛେଳି ଚରାଉଥିବାବେଳେ ୨ପୁଅ ଏବେ ମୂଲ ମଜୁରି କରୁଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍‌ ହୋଇଛନ୍ତି। ତେବେ ପଞ୍ଚାୟତରେ ପକ୍କାଘରଟିଏ ପାଇଁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଏହି ଯୋଜନାରେ ସାମିଲ କରାଯାଉ ନାହିଁ। ଲାଞ୍ଚ ନ ଦେଇପାରିବାରୁ ତାଙ୍କୁ ଆବାସ ଯୋଜନାରେ ପକ୍କାଘର ମିଳୁ ନ ଥିବା ପରିଆ ଅଭିଯୋଗ କରିଛନ୍ତି। ଏନେଇ ବ୍ଲକର ଉଚ୍ଚ ଅଧିକାରୀମାନଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି । ବାରମ୍ବାର ଆବାସ ଯୋଜନାରୁ ତାଙ୍କୁ ବାଦ୍‌ ଦିଆଯାଉଛି ବୋଲି ସେ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ହେଲେ ଏହାର ସୁଫଳ ତାଙ୍କୁ ମିଳିପାରୁନାହିଁ ା ତୁରନ୍ତ ଜିଲା ପ୍ରଶାସନ ଏହାର ତଦନ୍ତ କରି ପରିଆଙ୍କୁ ଆବାସ ଯୋଜନାରେ ସାମିଲ କରି ନୂତନ ପକ୍କାଘରଟିଏ ମଞ୍ଜୁର କଲେ ସେ ଉପକୃତ ହୁଅନ୍ତେ ବୋଲି ସାଧାରଣରେ ଦାବି ହେଉଛି। ଏ ନେଇ ରଣପୁର ବିଡିଓ ରଶ୍ମିରେଖା ଦାଶଙ୍କୁ ପଚାରିବାରୁ ସେ କୁହନ୍ତି, ସେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ତାଙ୍କୁ ଆବାସ ଯୋଜନାରେ ସାମିଲ କରି ପକ୍କା ଘର ଖଣ୍ଡେ ଯୋଗାଇ ଦେବୁ । ତାଙ୍କୁ ଯଦି ଜାଣିଶୁଣି ଯୋଜନାରୁ ବାଦ ଦିଆଯାଇଛି ତା’ହେଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ।