Categories: ଖେଳ

ଆଫଗାନିସ୍ତାନର ଐତିହାସିକ ବିଜୟ

ଚଟ୍ଟଗ୍ରାମ (ବାଂଲାଦେଶ), ୯।୯ (ଏଏଫ୍‌ପି)- ଅଧିନାୟକ ତଥା ରଶିଦ ଖାଁଙ୍କ ଚମତ୍କାର ବୋଲିଂ ବଳରେ ସ୍ଥାନୀୟ ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଅନୁଷ୍ଠିତ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଘରୋଇ ବାଂଲାଦେଶକୁ ୨୨୪ ରନର ବୃହତ୍‌ ବ୍ୟବଧାନରେ ପରାସ୍ତ କରି ଆଫଗାନିସ୍ତାନ ଐତିହାସିକ ବିଜୟ ହାସଲ କରିଛି। ୩୯୮ ରନର ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୧୭୩ ରନରେ ଅଲ୍‌ଆଉଟ୍‌ ହୋଇଥିଲା। ମ୍ୟାଚ୍‌ର ଅନ୍ତିମ ତଥା ୫ମ ଦିବସରେ ସୋମବାର ନାଟକୀୟ ଖେଳ ଦେଖିବାକୁ ମିଳିଥିଲା। ବିଜୟ ପାଇଁ ଆଫଗାନିସ୍ତାନକୁ ୪ ଉଇକେଟ୍‌ ଓ ବାଂଲାଦେଶକୁ ଆହୁରି ୨୬୨ ରନ ଆବଶ୍ୟକ ହେଉଥିବାବେଳେ ବର୍ଷା କିନ୍ତୁ ସବୁ ଓଲଟପାଲଟ କରିଦେଇଥିଲା। ଦିବସର ପ୍ରଥମ ଓ ୨ୟ ସେସନ ବର୍ଷା ଯୋଗୁ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। କିନ୍ତୁ ଅନ୍ତିମ ସେସନରେ ବର୍ଷା ଛାଡ଼ିବା ପରେ ଖେଳ ଆରମ୍ଭ ହୋଇଥିବାବେଳେ ଆଫଗାନିସ୍ତାନ ୧୭.୨ ଓଭରରେ ବଳକା ୪ ଉଇକେଟ୍‌ ଅକ୍ତିଆର କରି ବାଂଲାଦେଶକୁ ୧୭୩ ରନରେ ସୀମିତ ରଖିବା ସହ ସ୍ମରଣୀୟ ବିଜୟ ହାସଲ କରିଥିଲା। ପୂର୍ବଦିନର ଅପରାଜିତ ବ୍ୟାଟ୍ସମ୍ୟାନ ତଥା ଅଧିନାୟକ ଶାକବି ଅଲ୍‌ ହାସନ ନିଜ ସ୍କୋରରେ ଆଉ ୫ ରନ ଯୋଡ଼ି ୪୪ ରନରେ ଆଉଟ୍‌ ହେବାପରେ ଘରୋଇ ଦଳର ଡ୍ର’ ଆଶା ମଉଳି ଯାଇଥିଲା। ଦ୍ୱିତୀୟ ଇନିଂସରେ ୬ ସହ ମ୍ୟାଚ୍‌ରେ ମୋଟ୍‌ ୧୧ ଉଇକେଟ୍‌ ହାସଲ କରି ଲେଗ୍‌-ସ୍ପିନର ରଶିଦ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ। ମ୍ୟାଚ୍‌ ଶେଷ ହେବାକୁ ଆଉ ୨୦ ବଲ୍‌ ବାକି ରହିଥିବାବେଳେ ସୌମ୍ୟ ସର୍କାରଙ୍କୁ ଆଉଟ୍‌ କରି ରଶିଦ୍‌ ଆଫଗାନିସ୍ତାନ ଶିବିରରେ ଖୁସିର ଲହରି ଖେଳାଇ ଦେଇଥିଲେ। ଆଫଗାନିସ୍ତାନ ଟେଷ୍ଟ ଇତିହାସରେ ୩ ମ୍ୟାଚ୍‌ରୁ ୨ୟ ବିଜୟ ଲାଭ କରିଛି। ଏହାପୂର୍ବରୁ ଦଳ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ବିଜୟ ସ୍ବାଦ ଚାଖିଥିଲା। ଏଥିସହ ଆଫଗାନିସ୍ତାନ କମ୍‌ ମ୍ୟାଚ୍‌ ଖେଳି ୨ ଟେଷ୍ଟ ଜିତିବାରେ ଅଷ୍ଟ୍ରେଲିଆ ସହ ସମକକ୍ଷ ହୋଇଛି। ଅଷ୍ଟ୍ରେଲିଆ ୧୮୭୯ରେ ୩ ମ୍ୟାଚ୍‌ ଖେଳି ୨ ବିଜୟ ଲାଭ କରିଥିଲା।
ସଂକ୍ଷିପ୍ତ ସ୍କୋର:
ଆଫଗାନିସ୍ତାନ ପ୍ରଥମ ଇନିଂସ- ୩୪୨/୧୦
ବାଂଲାଦେଶ ପ୍ରଥମ ଇନିଂସ- ୨୦୫/୧୦
ଆଫଗାନିସ୍ତାନ ୨ୟ ଇନିଂସ- ୨୬୦/୧୦
ବାଂଲାଦେଶ ୨ୟ ଇନିଂସ- ୧୭୩/୧୦, ୬୧.୪ ଓଭର (ଇସଲାମ ୪୧, ଶାକିବ ୪୪, ମୁଶଫିକର ୨୩, ସୌମ୍ୟ ସର୍କାର ୧୫, ରଶିଦ ୬/୪୯)

Share