ଆନ୍ଧ୍ର ରାଜଭବନର ୪ କର୍ମଚାରୀଙ୍କୁ କରୋନା: ଏମ୍‌ପିଙ୍କ ପରିବାରରୁ ୬ ଆକ୍ରାନ୍ତ

ଅମରାବତୀ,୨୮ା୪: ଆନ୍ଧ୍ରପ୍ରଦେଶ ରାଜଭବନର ୪ ଜଣ କର୍ମଚାରୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ସେହିପରି ଶାସକ ଦଳର ଜଣେ ଏମ୍‌ପିଙ୍କ ପରିବାରରୁ ୬ ଜଣ ଏହି ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୭୭ରେ ପହଞ୍ଚତ୍ଛି ଓ ୩୧ ଜଣଙ୍କର କୋଭିଡ୍‌-୧୯ରେ ମୃତ୍ୟୁ ହେଲାଣି। ୯୧୧ଜଣ ଚିକିତ୍ସାଧୀନ ଥିବାବେଳେ ୨୩୫ଜଣ ଆରୋଗ୍ୟ ହେଲେଣି।
କୁର୍‌ନୁଲ ଏମ୍‌ପି ଡ. ସଞ୍ଜୀବ କୁମାରଙ୍କ ବାପା, ଭାଇଙ୍କ ସମେତ ତାଙ୍କ ପରିବାରର ଅନ୍ୟ ୪ ସଦସ୍ୟଙ୍କଠାରେ କରୋନା ପଜିଟିଭ୍‌ ଥିବା ରବିବାର ପରୀକ୍ଷାରୁ ଜଣାପଡିଛି। ସେମାନଙ୍କୁ କୁର୍‌ନୁଲ ସରକାରୀ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମ୍‌ପି ସଞ୍ଜୀବ କୁମାର ଓ ତାଙ୍କ ସ୍ତ୍ରୀ ଉଭୟ ଡାକ୍ତର। ସେହିପରି ଆନ୍ଧ୍ର ରାଜଭବନର ୪ କର୍ମଚାରୀଙ୍କଠାରେ କରୋନା ଭୂତାଣୁ ଥିବା ରବିବାର ସ୍ପଷ୍ଟ ହୋଇଛି। ଆକ୍ରାନ୍ତଙ୍କ ମଧ୍ୟରେ ରାଜଭବନର ମୁଖ୍ୟ ସୁରକ୍ଷା ଅଧିକାରୀ ଓ ଜଣେ ନର୍ସିଂ ଷ୍ଟାଫ୍‌ ଅନ୍ତର୍ଭୁକ୍ତ। ଶନିବାର ରାଜଭବନକୁ ସୋଡିୟମ ହାଇପୋକ୍ଲୋରାଇଟ୍‌ ଦ୍ୱାରା ବିଶୋଧନ କରାଯାଇଛି।

Share