Categories: ଜାତୀୟ

ଆନ୍ଧ୍ର କ୍ୟାବିନେଟ :୫ ଉପମୁଖ୍ୟମନ୍ତ୍ରୀଙ୍କ ସହ ୨୫ ଶପଥ ନେଲେ

ଅମରାବତୀ, ୯ା୬(ପି.ଟି.): ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ ରେଡ୍ଡୀଙ୍କ ମନ୍ତ୍ରିମଣ୍ଡଳରେ ଶନିବାର ୫ ଉପମୁଖ୍ୟମନ୍ତ୍ରୀଙ୍କ ସହ ୨୫ ମନ୍ତ୍ରୀ ସାମିଲ ହୋଇଛନ୍ତି। ୫ ଉପମୁଖ୍ୟମନ୍ତ୍ରୀ ହେଲେ ପାମୁଲା ପୁଷ୍ପା ଶ୍ରୀବାଣୀ, ପିଲ୍ଲି ସୁବାସ ଚନ୍ଦ୍ର ବୋଷ, ଆଲ୍ଲା କଲି କ୍ରିଷ୍ଣା ଶ୍ରୀନିବାସ, ଏଲ୍‌ ନାରାୟଣ ସ୍ବାମୀ ଓ ଆମ୍‌ଜାଥ ବାସା । ଏଥିସହ ୭ ଜଣ ପଛୁଆବର୍ଗର ବିଧାୟକଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ପ୍ରଦାନ କରିଥିବାବେଳେ ଅନୁସୂଚିତ ଜାତି ବର୍ଗର ୫ ବିଧାୟକ, ମୁସଲ୍‌ମାନ୍‌ ଓ ଅନୁସୂଚିତ ଉପଜାତି ବର୍ଗର ଜଣେ ଲେଖାଏ, କପୁ ଓ ରେଡ୍ଡୀ ସମ୍ପ୍ରଦାୟର ୪ଜଣ ଲେଖାଏ ବିଧାୟକଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ପ୍ରଦାନ କରାଯାଇଛି। କ୍ଷତ୍ରିୟ ଓ ବୈଶ୍ୟ ସମ୍ପ୍ରଦାୟର ଜଣେ ଲେଖାଏ ବିଧାୟକ ମଧ୍ୟ ଏହି କ୍ୟାବିନେଟରେ ସାମିଲ ହୋଇଛନ୍ତି। ରାଜ୍ୟପାଳ ଇ.ଏସ୍‌.ଏଲ୍‌. ନରସିଂହ ଏକ ବର୍ଣ୍ଣାଢ୍ୟ ସମାବେଶରେ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ ରେଡ୍ଡୀଙ୍କୁ ମିଶାଇ ୨୬ଜଣିଆ କ୍ୟାବିନେଟରେ ୩ ମହିଳା ସଦସ୍ୟ ସ୍ଥାନ ପାଇଛନ୍ତି। ଏମାନଙ୍କ ମଧ୍ୟରୁ ଅନୁସୂଚିତ ଜାତି ବର୍ଗର ୨ ଜଣ ହୋଇଥିବାବେଳେ ଅନୁସୂଚିତ ଉପଜାତି ବର୍ଗରୁ ଜଣେ ଅଛନ୍ତି।ଦଳିତ ବର୍ଗର ମହିଳା ବିଧାୟକ ମେକାଥୋତି ସୁଚରିତାଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମିଳିଥିବା ଜଣାପଡ଼ିଛି।
ଦାୟିତ୍ୱ ଗ୍ରହଣ କରିବା ପରେ ଜଗନ୍‌ ଆଶା କର୍ମୀଙ୍କ ମାସିକ ଦରମା ୧୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି।

Share