Categories: ଜାତୀୟ

ଆନ୍ଧ୍ରରେ ମହଙ୍ଗା ହେଲା ମଦ

ନୂଆଦିଲ୍ଲୀ, ୬ା୫: ଲକ୍‌ଡାଉନ୍‌ ଅବଧି ତୃତୀୟ ଥର ଲାଗି ବଢ଼ିଥିବା ବେଳେ ଆନ୍ଧ୍ରପ୍ରଦେଶରେ ମଦ ଦର ପୁଣି ୫୦% ମହଙ୍ଗା ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ୨୫% ଦର ବୃଦ୍ଧି କରାଯାଇଥିବା ବେଳେ ପୁଣି ଏହାକୁ ବଢ଼ାଯାଇଛି। ଏହା ସତ୍ତ୍ୱେ ଲୋକଙ୍କ ମନରେ ଉତ୍ସାହ କମିନାହିଁ। ବିଭିନ୍ନ ମଦ ଦୋକାନରେ ମଙ୍ଗଳବାର ଲୋକମାନଙ୍କ ଗହଳି ଦେଖିବାକୁ ମିଳିଛି। ଏବେ ରାଜ୍ୟରେ ୩,୪୬୮ ରିଟେଲ କାଉଣ୍ଟର ରହିଛି। ଏଥିମଧ୍ୟରୁ କଣ୍ଟେନ୍‌ମେଣ୍ଟ ଅଞ୍ଚଳରେ ୫୦୦ ମଦ ଦୋକାନ ଅଛି। ଏସବୁକୁ ରାଜ୍ୟ ଅବକାରୀ ବିଭାଗ ଚଳାଉଛି। ସୋମବାର ମଦ ଦୋକାନ ଖୋଲିବା ମାତ୍ରେ ଅସମ୍ଭବ ଭିଡ଼ ହେବାରୁ ସରକାର ଏହା ଉପରେ ତୁରନ୍ତ ୭୫% ଦରବୃଦ୍ଧି କରିଥିଲେ। ଦିଲ୍ଲୀରେ ମଧ୍ୟ ୭୦% ଦରବୃଦ୍ଧି କରାଯାଇଥିଲା। ଏବେ ସରକାର ପୂର୍ବାହ୍ନ ୧୧ଟାରୁ ରାତି ୮ଟା ମଧ୍ୟରେ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଜନଗହଳିକୁ ରୋକିବା ଓ ମଦ ଅପମିଶ୍ରଣ ଉପରେ ଦୃଷ୍ଟିଦେବାକୁ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

Share