ଆନ୍ଧ୍ରରେ ଫସିଛନ୍ତି ଗଞ୍ଜାମର ୧୫୦ ଜଣ

ଛତ୍ରପୁର,୨୯।୩(ଡି.ଏନ୍‌.ଏ.): ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲା ଚିକାଭରମଠାରେ ଗଞ୍ଜାମ ଜିଲାର ୧୫୦ ଜଣ ଫସିରହିଛନ୍ତି। ଉଦ୍ଧାର କରି ଘରକୁ ଫେରାଇ ନେବା ସହ ଖାଇବାକୁ ଦେବା ପାଇଁ ଏମାନେ ନିବେଦନ କରିଛନ୍ତି। ଏମାନଙ୍କ ପକ୍ଷରୁ ଏକ ଭିଡିଓ କ୍ଲିପ୍‌କୁ ସୋସିଆଲ ମିଡିଆରେ ଛଡ଼ାଯାଇଛି। ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଚିକଲଖଣ୍ଡି ଓ ଭିକାରିପଲି ଏବଂ କବିସୂର୍ଯ୍ୟନଗର ବ୍ଲକ ଅଞ୍ଚଳର ୪୦ ଜଣ ଶ୍ରମିକ ସେମାନଙ୍କ ପରିବାର ସଦସ୍ୟଙ୍କୁ ନେଇ ଦାଦନ ଖଟିବାକୁ ଆନ୍ଧ୍ରର ଚିକାଭରମ ଅଞ୍ଚଳକୁ ଯାଇଥିଲେ। ସେଠାରେ ଥିବା ଉଷା ସ୍ପିନ୍‌କୋଟ ପ୍ରାଇଭେଟ ଲିମିଟେଡ୍‌ରେ ଏମାନେ କାମ କରୁଥିଲେ। କରୋନା ଭାଇରସ୍‌କୁ ନେଇ ସୂତାକଳ ବନ୍ଦ ହୋଇଯାଇଛି। ବାହାରକୁ ଗଲେ ପୋଲିସ ପିଟୁଛି ବୋଲି ଏମାନେ ଉକ୍ତ ଭିଡିଓରେ କହିଛନ୍ତି। ଖାଇବାକୁ ମିଳୁନି । ତୁରନ୍ତ ଉଦ୍ଧାର ସହ ଖାଇବା ବ୍ୟବସ୍ଥା କରିବାକୁ ଏମାନଙ୍କ ପକ୍ଷରୁ ଓଡ଼ିଶା ସରକାର ଓ ଗଞ୍ଜାମ ଜିଲା ପ୍ରଶାସନକୁ ନିବେଦନ କରାଯାଇଛି।