ଆନ୍ଧ୍ରକୁ ଚାଲାଣ ବେଳେ ଧାନ ବୋଝେଇ ଟ୍ରକ ଅଟକ

ତିହିଡ଼ି, ୩୦।୧୨(ଡି.ଏନ.ଏ.):ଭଦ୍ରକ ଜିଲା ତିହିଡ଼ି ବ୍ଲକରୁ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ବେଳେ ଧାନ ବୋଝେଇ ଏକ ଟ୍ରକକୁ ସୋମବାର ତହସିଲ ଛକଠାରେ ତହସିଲଦାର ଅଟକ ରଖିଥିଲେ। ପରେ ଗାଡ଼ିକୁ ପୋଲିସକୁ ହସ୍ତାନ୍ତର କରାଯାଇଛି। ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଧାନ ଯାଞ୍ଚ ପାଇଁ ଯୋଗାଣ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯୋଗାଣ ନିରୀକ୍ଷକ ଯାଞ୍ଚ କଲା ପରେ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଟ୍ରକ ଚାଳକ ଓ ହେଲପରଙ୍କୁ ତିହିଡ଼ି ଥାନାରେ ଅଟକ ରଖାଯାଇଛି।
ସୂଚନାଥାଉ କି, ତିହିଡ଼ି ଅଞ୍ଚଳରୁ ପ୍ରତିଦିନ ହଜାର ହଜାର କୁଇଣ୍ଟାଲ ଧାନ ବାହାର ରାଜ୍ୟକୁ ଚାଲାଣ ହେଉଛି। ସରକାରୀ ଭାବେ ମଣ୍ଡି ଖୋଲିଥିଲେ ମଧ୍ୟ ଏଜେଣ୍ଟମାନେ ଚାଷୀଙ୍କୁ ପ୍ରବର୍ତ୍ତାଇ ଧାନ ସଂଗ୍ରହ କରୁଛନ୍ତି। ସରକାରୀ ମୂଲ୍ୟଠାରୁ କୁଇଣ୍ଟାଲ ପିଛା ୫ଶହ ଟଙ୍କା କମ୍‌ରେ ସେମାନେ ଧାନ କିଣୁଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି। ପ୍ରଶାସନର ନିଷ୍କ୍ରିୟତା ଯୋଗୁ ଗତ ୧୫ ଦିନ ହେଲା ଏପରି ଧାନ ଚାଲାଣ ହେବାରେ ଲାଗିଥିଲା। ସୋମବାର ଏହି ବ୍ଲକରୁ ଏକ ଦଶଚକିଆ ଟ୍ରକ ଯୋଗେ ଧାନ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ତହସିଲଦାର ଅଟକ ରଖିଥିଲେ।