ଆନ୍ଦୋଳନକାରୀଙ୍କୁ ମନାଇ ପାରିଲାନି ପ୍ରଶାସନ: ଆଲୋଚନା ଫେଲ୍‌ ମାରିଲା

ଚମ୍ପୁଆ,୯ା୭(ଡି.ଏନ.ଏ.)- କେନ୍ଦୁଝର ଜିଲା ଖଣି ଖାଦାନଭରା ଚମ୍ପୁଆ ଅଞ୍ଚଳରେ ପାରିପାର୍ଶ୍ୱିକ ଉନ୍ନତି ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଦାବି କରି ବଡକାଳିମାଟି ଗ୍ରାମବାସୀ ଦୀର୍ଘ ୨୨ ଦିନ ଧରି ଆନ୍ଦୋଳନ ଜାରି ରଖିଛନ୍ତି। ସେମାନେ ଚମ୍ପୁଆ ଉପଜିଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଅନଶନ ଚଳାଇଥିଲେ ମଧ୍ୟ ସମାଧାନର ବାଟ ଫିଟୁନାହଁି ା ୩ ସପ୍ତାହ ଗତ ହେବା ସତ୍ତ୍ୱେ କୌଣସି ଅଧିକାରୀ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ନ ଥିଲେ। ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ଭାଜପା ପକ୍ଷରୁ ଆନ୍ଦୋଳନ ପ୍ରତି ସମର୍ଥନ ଦିଆଯିବା ପରେ ପ୍ରଶାସନ ପକ୍ଷରୁ ସୋମବାର ପ୍ରଥମ କରି ସେମାନଙ୍କ ସହ ଆଲୋଚନା କରାଯାଇଥିଲା। ହେଲେ ଏହି ଆଲୋଚନା ଫେଲ୍‌ ମାରିଥିବା ଜଣାପଡିଛି।
ଉଲ୍ଲେଖନୀୟ ଯେ, ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା, ଚମ୍ପୁଆ ତହସିଲଦାର ଆଲୋକ କୁମାର ପଟେଲ, ସହକାରୀ ଜିଲାପାଳ ଚାରୁଲତା ସିଂ, ଏସ୍‌ଡିପିଓ ସୁବୋଧ କୁମାର ମଲ୍ଲିକ, ଚମ୍ପୁଆ ଆଇଆଇସି ମନୋରଞ୍ଜନ ପ୍ରଧାନ ପ୍ରମୁଖ ସୋମବାର ପୂର୍ବାହ୍ନରେ ଧାରଣାସ୍ଥଳକୁ ଆସି ଅନଶନକାରୀଙ୍କ ସହ ଆଲୋଚନା କରିଥିଲେ। ପ୍ରାୟ ୧ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଏସ୍‌ଆର ଭଳି ଖଣିସଂସ୍ଥା ସ୍ଥାପନ ବେଳେ ଅଞ୍ଚଳର ବିକାଶ ଓ ନିଯୁକ୍ତି ସୁବିଧା ଦେବା ଲାଗି ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ନ କରି ଲୋକଙ୍କୁ ପ୍ରତାରଣା କରାଯାଇଥିବା ଆନ୍ଦୋଳନକାରୀ ଦର୍ଶାଇଥିଲେ। ଏସବୁ ଦାବି ସମ୍ପର୍କରେ ବାରମ୍ବାର ପ୍ରଶାସନକୁ ଜଣାଇ ନିରାଶ ହେବା ପରେ ସେମାନେ ଶେଷରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେନାହିଁ। ଖଣିଖାଦାନ ଯୋଗୁ ପରିବେଶ ପ୍ରଭାବିତ ହେଉଥିବା ବେଳେ ପାରିପାର୍ଶ୍ୱିକ ବିକାଶ ପ୍ରତି ଗୁରୁତ୍ୱ ଦିଆ ନ ଯିବା ବିଡ଼ମ୍ବନା। ରାସ୍ତାଘାଟ ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିଲେ ବି ମରାମତି କରାଯାଉନାହିଁ ା ବିଜୁଳି, ପାଣି ଯୋଗାଣ ନ ହେବା ଭଳି ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଯୁବତୀଯୁବକ ନିଯୁକ୍ତି ସୁଯୋଗ ନ ପାଇ ଅନ୍ୟ ଅଞ୍ଚଳକୁ କାମଧନ୍ଦା କରିବାକୁ ଚାଲିଯାଉଥିବା ଗ୍ରାମବାସୀ କହିଥିଲେ। ଏ ସବୁ ଦାବିର ସମାଧାନ ଲାଗି ପଦକ୍ଷେପ ନିଆଯାଉଛି ବୋଲି ପ୍ରଶାସନିକ ଅଧିକାରୀମାନେ କହି ଅନଶନ ଭାଙ୍ଗିବାକୁ ନିବେଦନ କରିଥିଲେ ମଧ୍ୟ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଅନଶନ ଚାଲୁରହିବ ବୋଲି ଆନ୍ଦୋଳନକାରୀ ଅଡ଼ି ବସିଥିଲେ। ଏ ନେଇ ବଡ଼ବିଲ ତହସିଲଦାର କ୍ଷୀରୋଦଙ୍କୁ ପଚାରିବାରୁ ସେ କହିଥିଲେ, ଗ୍ରାମବାସୀଙ୍କ ଦାବିର ଯଥାର୍ଥତା ରହିଛି। ମାତ୍ର ୨ ଗୋଷ୍ଠୀ କାମ କରୁଥିବାରୁ ଏହାକୁ ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯିବ। ଅନ୍ୟପକ୍ଷେ ଧାରଣା ଅନଶନ ଗାଇଡ୍‌ଲାଇନ ଭିତରେ ଆସୁ ନ ଥିବାରୁ ସମାଧାନର ସୂତ୍ର ବାହାରିବାରେ ବିଳମ୍ବ ହେଉଛି। ଉଲ୍ଲେଖନୀୟ ଯେ, ଗତ ୧୭ ତାରିଖ ମଧ୍ୟରାତ୍ରରୁ ସ୍ଥାନୀୟ ଅଞ୍ଚଳରେ ମୌଳିକ ସୁବିଧା ଦାବିକରି ଗ୍ରାମବାସୀ ଏହି ଅନଶନ ଚଳାଇଛନ୍ତି।