ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀ ଗିରଫ, କାର ଜବତ

ଭଞ୍ଜନଗର,୧୮।୧(ଡି.ଏନ.ଏ)- କନ୍ଧମାଳ ଜିଲାରୁ ପ୍ରତିଦିନ ବିପୁଳ ପରିମାଣର ଗଞ୍ଜେଇ ଚୋରାରେ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ ହେଉଛି। ପୋଲିସ ମଝିରେ ମଝିରେ କେତେଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହେଉଛି। ଏହିଭଳି ଶୁକ୍ରବାର ଭଞ୍ଜନଗର ପୋଲିସ ଗୋଡ଼ାଇ ଗୋଡ଼ାଇ ଧରିଥିବା ୩ଜଣ ଗଞ୍ଜେଇ ବେପାରୀଙ୍କୁ ଶନିବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବାଲିଗୁଡ଼ାର କୃପାସିନ୍ଧୁ ବେହେରା, ପଶ୍ଚିମବଙ୍ଗ ମୁର୍ଶିଦାବାଦର ସୂର୍ଯ୍ୟନ ଏକ୍ସ, ଟିଙ୍କୁ ତାଗଡ଼ଗିରି। ଏମାନଙ୍କଠାରୁ ଗୋଟିଏ କାର ସହ ୭୬କେଜି ୫୪୫ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏନେଇ ନଂ.୩୧/୨୦ରେ ଏକ ମାମଲା ରୁଜୁକରି ପୋଲିସ ତଦନ୍ତ ଚଳାଇଛି। ପ୍ରକାଶ ଯେ, ଅଭିଯୁକ୍ତମାନେ ଏକ ନମ୍ବର ବିହୀନ ନୂଆ କାରରେ ଗଞ୍ଜେଇ ଧରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲେ। ଭଞ୍ଜନଗର ପୋଲିସ କୌଣସି ସୂତ୍ରରୁ ଖବରପାଇ ଅଭିଯୁକ୍ତମାନଙ୍କୁ କଲେଜ ରୋଡ଼ରେ ଅଟକାଇବା ପାଇଁ ଚେଷ୍ଟା କରିଥିଲା। କିନ୍ତୁ ଅଭିଯୁକ୍ତମାନେ ଦ୍ରୁତ ଗତିରେ କାର ଚଳାଇ ଫେରାର ହେବାକୁ ଯାଇ ଗାମୁଣ୍ଡି ଗ୍ରାମରେ ପଶି ଯାଇଥିଲେ। ସେଠାରୁ ଆଉ ଆଗକୁ ଯାଇ ପାରି ନ ଥିଲେ। ପିଛା କରୁଥିବା ପୋଲିସ ଅଭିଯୁକ୍ତମାନଙ୍କୁ କାବୁ କରି ନେଇଥିଲା।