ଆନନ୍ଦପୁର ଭିଆଇପି ରୋଡ ଦୁରବସ୍ଥା: ଯେତେ ଲୁଚେଇଲେ ବି ଲୁଚୁନି ଫାଟ

ଆନନ୍ଦପୁର,୨୨। ୫(ସ୍ବ.ପ୍ର.)-ବର୍ଷାକୁ ଡର ଭିଆଇପି ରୋଡ। ସାମାନ୍ୟ ବର୍ଷା ହେଲେ ଫାଟି ଆଁ କରୁଛି। ଥରେ ନୁହେଁ କି ଅଧେ ନୁହେଁ ତିନି ତିନି ଥର ଠିକାଦାରଙ୍କ ତାଳିପକା ଉଦ୍ୟମ ବ୍ୟର୍ଥ ହେଉଛି। ଏବେ ରାସ୍ତାର ସ୍ଥାୟୀତ୍ୱକୁ ନେଇ ଉଠିଛି ନାନା ପ୍ରଶ୍ନ। ଆନନ୍ଦପୁର ସହରର ସୌନ୍ଦର୍ଯ୍ୟକୁ ବୃଦ୍ଧି ପାଇଁ ଭିଆଇପି ରୋଡ ନିର୍ମାଣ ହୋଇଥିଲା। ଖପରାଖାଇ ଛକଠାରୁ ଘସିପୁରା ବାଇପାସ୍‌ ଛକ ପର୍ଯ୍ୟନ୍ତ ୧.୫୨୦ କି.ମି. ରାସ୍ତା ୬ କୋଟି ୧୯ ଲକ୍ଷ ୪୮ ହଜାର ୫୩୮ଟଙ୍କା ବ୍ୟୟଅଟକଳରେ ଏହି ରାସ୍ତା ନିର୍ମିତ ହୋଇଥିଲା। ରାସ୍ତାର ନିର୍ମାଣ ଶେଷ ଅବଧି କାଗଜପତ୍ରରେ ୧.୨.୨୦୧୭ ରହିଛି। ହେଲେ ଏହି ରାସ୍ତା ସମ୍ପୂର୍ଣ୍ଣ ହୋଇପାରି ନ ଥିବାବେଳେ ମାତ୍ର କେଇ ମାସ ପୂର୍ବରୁ ଏହାର କାର୍ଯ୍ୟ ଶେଷ ଅବସ୍ଥାକୁ ଆସିଥିଲା। ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଘଟଗାଁ ଡିଭିଜନ୍‌ ଅଧୀନରେ ଏହି ରାସ୍ତା କାର୍ଯ୍ୟକୁ ପ୍ରଫୁଲ୍ଲ କୁମାର ମହାପାତ୍ର ନାମକ ଜଣେ ସୁପରକ୍ଲାସ ଠିକାଦାରଙ୍କ ଦ୍ୱାରା ନିର୍ମାଣ ହୋଇଥିଲା। ନିର୍ମାଣ ସମୟରେ ନିମ୍ନ ମାନର କାର୍ଯ୍ୟ ଏବଂ ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବରୁ ଏହି ରାସ୍ତାର ବାଉଁଶନାଳ ଠାରେ ସାମାନ୍ୟ ବର୍ଷାରେ ଫାଟ ସୃଷ୍ଟି ହୋଇଥିଲା। ଏହି ଫାଟକୁ ଲୁଚାଇବାକୁ ଯାଇ ଠିକାଦାର ବିଭିନ୍ନ ପ୍ରକାରର ଉଦ୍ୟମ କରିଥିଲେ ସୁଦ୍ଧା ଫନୀ ପ୍ରଭାବରେ ହୋଇଥିବା ବର୍ଷାରେ ରାସ୍ତାରେ ପୁନର୍ବାର ଫାଟ ସୃଷ୍ଟି ହୋଇଛି। କିନ୍ତୁ ଏହାକୁ ତାଳିପକାଇବା ପାଇଁ ଠିକାଦାର କ୍ରସର ଡଷ୍ଟ ଆଣି ପୁନର୍ବାର ଲୁଚାଇବାକୁ ଉଦ୍ୟମ କରିଥିଲେ। ଯାହାକି ୧୫ ତାରିଖରେ ହୋଇଥିବା କାଳବୈଶାଖୀର ସାମାନ୍ୟ ବର୍ଷାରେ ପୁଣି ଫାଟ ହୋଇପଡ଼ିଛି। ତେବେ ଠିକାଦାରଙ୍କ ବୋଲମାନୁନଥିବା ଏହି ଭିଆଇପି ରୋଡର ଫାଟକୁ ଏବେ ମାଟିର ଚାଦର ତଳେ ଢାଙ୍କିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏତେ ସବୁ ହେବା ସତ୍ତ୍ୱେ ବିଭାଗୀୟ ଅଧିକାରୀ କିନ୍ତୁ ଠିକାଦାରଙ୍କ ଦୁର୍ନୀତିକୁ ଦୃଷ୍ଟି ଆଢୁଆଳରେ ରଖିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ରାସ୍ତା ଓ ଗୃହ ନିର୍ମାଣ ବିଭାଗ ସହକାରୀ ଅଧିକାରୀ ସମୀର କୁମାର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ ନୂଆମାଟିରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ସମୟରେ କମ୍ପାକସନ୍‌ରେ ତ୍ରୁଟି ରହିଥିବାରୁ ଏପରି ଫାଟ ସୃଷ୍ଟି ହୋଇଛି। ଏହାକୁ ଖୁବଶୀଘ୍ର ପୁନଃ ମରାମତି କରାଯିବ ବୋଲି ସେ କହିଛନ୍ତି।