ଆନନ୍ଦପୁର ବ୍ୟାରେଜ ଗେଟ୍‌ ତଳେ ପଡ଼ି ରହିଛି ଯୁବକଙ୍କ ମୃତଦେହ, ହତ୍ୟା କରାଯାଇଥିବା ସନ୍ଦେହ

ଆନ୍ଦନପୁର,୧।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ୟାରେଜର ୫ନଂ ଗେଟ୍‌ ତଳେ ରବିବାର ଏକ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଏହା ଜଣେ ଯୁବକଙ୍କର ବୋଲି ଅନୁମାନ କରାଯାଉଥିବା ବେଳେ ମୃତଦେହଟି ଫୁଲି ଯାଇଥିବା ଦେଖାଯାଇଛି। ଏଣୁ ୪ରୁ ୫ ଦିନ ଧରି ମୃତଦେହ ପଡ଼ିଥିବା ସନ୍ଦେହ କରାଯାଉଛି। ସକାଳେ ଜଣେ ବ୍ୟକ୍ତି ଶୌଚ ହେବାକୁ ଯାଇଥିବା ସମୟରେ ଏହା ଦେଖିବାକୁ ପାଇଥିଲେ। ଏ ନେଇ ଖବର ଦେବା ପରେ ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ସେ ଏକ ହାଫ୍‌ ପ୍ୟାଣ୍ଟ ପିନ୍ଧିଛନ୍ତି। ପେଟେଇ ହୋଇ ପଡ଼ିଥିବାରୁ ତାଙ୍କ ପିଠିରେ ଲାଲ ରଙ୍ଗ ଦାଗ ଥିବା ଦେଖାଯାଉଛି। ଏଣୁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି। ମୃତଦେହ ବ୍ୟବଚ୍ଛେଦ ହେବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ପୋଲିସ ମୃତକଙ୍କ ପରିଚୟ ପାଇପାରି ନାହିଁ।