ଆନନ୍ଦପୁର ପୌର ପରିଷଦ କାର୍ଯ୍ୟାଳୟରେ ଉତ୍ତେଜନା: ଯନ୍ତ୍ରୀ-ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ଧସ୍ତାଧସ୍ତି

ଆନନ୍ଦପୁର,୨୭ା୫(ସ୍ବ.ପ୍ର.): ଆନନ୍ଦପୁର ପୌରପରିଷଦ କାର୍ଯ୍ୟାଳୟରେ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀଙ୍କ ସହିତ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ବଚସା ପରେ ଧସ୍ତାଧସ୍ତି ହୋଇଛି। ଫକୀରପୁର ୮ ନଂ. ଓ୍ବାର୍ଡର ଉନୟନ ଯୋଜନାରେ ସଂପୃକ୍ତ ଓ୍ବାର୍ଡରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ସାମିଲ କରାଯାଇ ନ ଥିବାରୁ ଏପରି ଘଟଣା ଘଟିଛି। ଏଭଳି ଅଭାବନୀୟ ଘଟଣାର ସୂଚନା ପାଇ ଆନନ୍ଦପୁର ପୋଲିସ ଅଧିକାରୀ ଗଗନ ବିହାରୀ ବିଶ୍ୱାଳ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ହେଲେ ପୌର କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀ ଅନୁପସ୍ଥିତ ଥିବାରୁ ଘଟଣାର କୌଣସି ସମାଧାନ ହୋଇପାରି ନ ଥିଲା। ଫଳରେ ମହିଳାମାନେ ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ସେମାନଙ୍କ ଅଭିଯୋଗ ପତ୍ର ପ୍ରଦାନ କରି ଫେରିଥିଲେ।
ସୂଚନାଯୋଗ୍ୟ, କୋଭିଡ୍‌-୧୯ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଆବାସ ଏବଂ ସହର ବିକାଶ ନିଗମ ଚିଠି ନଂ ୮୩୯୧/୨୨.୪.୨୦ଅନୁଯାୟୀ ସହରାଞ୍ଚଳରେ ଥିବା ଶ୍ରମିକମାନଙ୍କୁ ନିଯୁକ୍ତିର ସୁବିଧା ଯୋଗାଇବା ନିମନ୍ତେ ଯୋଜନା ପ୍ରଣୟନ କରାଯାଇଛି। ଏହି ସହରାଞ୍ଚଳ କର୍ମ ନିଯୁକ୍ତି ଯୋଜନା ଆଧାରରେ ଓ୍ବାର୍ଡର ବିଭିନ୍ନ ଉନ୍ନୟନମୂଳକ ଯୋଜନା ହାତକୁ ନିଆଯାଇଛି। ଏହା ସହିତ ଏହି ଉନ୍ନୟନ କାର୍ଯ୍ୟରେ ମହିଳାମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନଙ୍କୁ ସାମିଲ କରିବାର ଯୋଜନା ମଧ୍ୟ ରହିଛି। ଯଦିଓ ଉନ୍ନୟନ କାର୍ଯ୍ୟଗୁଡ଼ିକର କାର୍ଯ୍ୟାଦେଶ ପୌରପରିଷଦର କାର୍ଯ୍ୟରତ ସହକାରୀ ଯନ୍ତ୍ରୀ କିମ୍ବା କନିଷ୍ଠ ଯନ୍ତ୍ରୀଙ୍କ ନାମରେ ମଞ୍ଜୁର ହେବ ତଥାପି ଏହି କାର୍ଯ୍ୟଗୁଡିକର ତଦାରଖ ଦାୟିତ୍ୱ ଓ୍ବାର୍ଡ କମିଟି ଉପରେ ନ୍ୟସ୍ତ କରାଯାଇଛି। ଏହି ଓ୍ବାର୍ଡ କମିଟିରେ ବିଭିନ୍ନ ବର୍ଗର ଲୋକ ରହିବାର ବ୍ୟବସ୍ଥା ରହିଛି। ଯେପରିକି ସହକାରୀ ଯନ୍ତ୍ରୀ କିମ୍ବା କନିଷ୍ଠ ଯନ୍ତ୍ରୀ, ପଞ୍ଜିକୃତ ସଂସ୍ଥାର ସଭାପତି କିମ୍ବା ସମ୍ପାଦକ, ସ୍ବୟଂ ସହାୟିକା ଗୋଷ୍ଠୀର ସଭାପତି କିମ୍ବା ସମ୍ପାଦକ, ସ୍ଲମ ଅଞ୍ଚଳରେ ଗଠିତ ହୋଇଥିବା କମିଟିର ସଭାପତି କିମ୍ବା ସମ୍ପାଦକ, ପୌର ଅଧିକାରୀଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥିବା ସ୍ବଚ୍ଛ ସାଥୀ କିମ୍ବା ସ୍ବଚ୍ଛ ସୁପରଭାଇଜର୍‌ ରହିବାର ବ୍ୟବସ୍ଥା ରହିଛି। ୧ ଲକ୍ଷ ଟଙ୍କା ମଧ୍ୟରେ ହେବାକୁ ଥିବା ଉନ୍ନୟନ କାର୍ଯ୍ୟ ସ୍ବୟଂ ସହାୟିକା ଗୋଷ୍ଠୀ, ସ୍ଲମ ଅଞ୍ଚଳରେ ଗଠିତ ହୋଇଥିବା କମିଟିକୁ ଦାୟିତ୍ୱ ଦେବାର ବ୍ୟବସ୍ଥା ରହିଛି। ମାତ୍ର ଏଥିରେ ଅଣଦେଖା କରାଯାଇଥିବାରୁ କାର୍ଯ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା।