ଆଧାର ନ ଥିଲେ କୃଷି ଋଣ ନାହିଁ

ଭୁବନେଶ୍ୱର, ୫ା୧୦ (ବ୍ୟୁରୋ): ଧାନ ବିକ୍ରି କରିବାକୁ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଥିବା ବେଳେ ଖରିଫ ଋଣ ପାଇବା ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଯେଉଁ ଚାଷୀମାନେ କୃଷି ଋଣ ପାଇଁ ମନୋନୀତ ହୋଇଛନ୍ତି ସେମାନଙ୍କୁ ଆଧାର କାର୍ଡ ଦେବାକୁ ହେବ। କିଷାନ କ୍ରେଡିଟ୍‌ କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ସହ ଆଧାରକୁ ଲିଙ୍କ୍‌ କରିବାକୁ ପଡିବ। ସମବାୟ ସମିତି ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଏ ନେଇ ସମସ୍ତ ଜିଲା ସମବାୟ ସମିତି ରେଜିଷ୍ଟ୍ରାର (ଡିଆରସିଏସ), ସମସ୍ତ ସର୍କଲ ସମବାୟ ସମିତିର ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର (ଏଆରସିଏସ) ଏବଂ ସମସ୍ତ ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ (ସିସିବି)ର ସେକ୍ରେଟାରିମାନଙ୍କୁ ଆଧାର ସଂଯୋଗ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଋଣ ଦେବା ପୂର୍ବରୁ ଚାଷୀଙ୍କ ଡାଟବେସ୍‌ ସହ ଆଧାରକୁ ଲିଙ୍କ୍‌ କରିବାକୁ କୁହାଯାଇଛି। ଏହାଦ୍ୱାରା ପ୍ରକୃତ ଚାଷୀଙ୍କୁ ଶସ୍ୟଋଣ ଦିଆଯାଇପାରିବ ବୋଲି କୁହାଯାଇଛି। ଋଣ ଦେବା ପୂର୍ବରୁ ଆଧାର ସଂଯୋଗକୁ ସୁନିଶ୍ଚିତ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।