ଆଦିବାସୀଙ୍କ ଭାଗ୍ୟ ବଦଳାଉଛି ଜୈବିକ ପଦ୍ଧତି ପରିବା ଚାଷ

ମୁନିଗୁଡ଼ା,୧୨।୩(ଡି.ଏନ୍‌.ଏ.): ଜଙ୍ଗଲ ଉପରେ ନିର୍ଭର କରୁଥିବା ଆଦିବାସୀଙ୍କ ରୋଜଗାରର ପନ୍ଥା ପାଲଟିଛି ପରିବା ଚାଷ। ତା’ପୁଣି ଜୈବିକ ପଦ୍ଧତିରେ। ଏପରି ଦେଖିବାକୁ ମିଳିଛି ରାୟଗଡ଼ା ଜିଲା ମୁନିଗୁଡା ବ୍ଲକର ଧୋବାଗୁଡ଼ି ଗ୍ରାମରେ। ଏହି ଗାଁର ଲୋକେ ଆଗରୁ ନିଜ ନିଜ ଜମିରେ ବର୍ଷାଦିନେ କେବଳ ଧାନଚାଷ କରୁଥିଲେ ଓ ବର୍ଷର ଅନ୍ୟ ଋତୁଗୁଡ଼ିକରେ ବଣ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସହ କାଠପତ୍ର ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିଲେ। ଏମାନଙ୍କ ପାଖରେ ନା ଥିଲା ଅନ୍ୟ ଚାଷ କରିବାର ଉପାୟ, ନା ଥିଲା ଜଳସେଚନର ସୁବିଧା।

ଏକ ବେସରକାରୀ ସଂସ୍ଥାରୁ ସୋଲାର ମାଧ୍ୟମରେ ପର୍ଯ୍ୟାପ୍ତ ପରିମାଣର ଜଳ ଚାଷଜମିରେ ଯୋଗାଇ ଦିଆଯିବା ସହ କୃଷି ବିଭାଗର ସହାୟତାରେ ଚାଷୀମାନଙ୍କୁ ଉତ୍ତମ କିସମର ବିହନ ଯୋଗାଇ ଦିଆଯାଇଛି। ଏଥିସହ ଉନ୍ନତମାନର ତାଲିମ ପ୍ରଦାନ କରାଯିବା ପରେ ଅଞ୍ଚଳର ଆଦିବାସୀମାନେ ଏବେ ଖରାଦିନେ ବ୍ରୋକଲି,ଗ୍ରୀନ୍‌ କୋବି, କ୍ୟାପଶିକମ୍‌, ଟମାଟୋ, ବାଇଗଣ, ଲଙ୍କା ଆଦି ପରିବା ଚାଷ କରି ଲାଭବାନ ହେଉଛନ୍ତି। ଗୋବରଖତ, ଗୋମୁତ୍ର, ଜିଆଖତ ଓ ହାଣ୍ଡିଖତ ପ୍ରୟୋଗ କରି ଏହି ଚାଷ କରାଯାଉଥିବାରୁ ବଜାରରେ ଏହାର ଚାହିଦା ମଧ୍ୟ ଭଲ ରହିଛି I ଉତ୍ପାଦିତ ପରିବାକୁ ନେଇ ନିକଟ ମୁନିଗୁଡ଼ା ବଜାରରେ ବିକ୍ରିକରି ଭଲ ଦୁଇ ପଇସା ରୋଜଗାର ବି କରି ପାରୁଛନ୍ତି। ଏହା ସେମାନଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣିଛି ବୋଲି ଚାଷୀ ଅଞ୍ଜନା ପିଡିକାକା, ପୁରନ୍ଦର ପିଡିକାକା, ସବିତା ବେହେରା, ଶୁଭକାନ୍ତି ପିଡିକାକା, ନମିତା ପିଡିକାକା, ରାଇବେନି ପିଡିକାକା,ଦୁରା ପିଡିକାକା,ନୀଳାମ୍ବର ପିଡିକାକା, ପିତାମ୍ବର ପିଡିକାକା, ପୁରୁଷତ୍ତମ ପିଡିକାକା, ଦୁଲୁ ପିଡିକାକା ପ୍ରମୁଖ ପ୍ରକାଶ କରିଛନ୍ତି। ତେବେ ଅନ୍ୟପଟେ ଏହିପରି ଭାବେ ମୁନିଗୁଡ଼ା ଓ ବିଷମକଟକ ବ୍ଲକ ଅଞ୍ଚଳରେ ଅନେକ ଗ୍ରାମରେ ଜୈବିକ ସାର ପଦ୍ଧତିରେ ଚାଷ କରାଯାଉଥିବା ବେଳେ ଆହୁରି ମଧ୍ୟ ଅନେକ ଗ୍ରାମରେ ଚାଷୀମାନଙ୍କୁ ଏହା ଉପରେ ପ୍ରଶିକ୍ଷଣ ଦିଆଯାଇ ଚାଷ କରାଯିବ ବୋଲି ଉକ୍ତ ବେସରକାରୀ ସଂସ୍ଥାର ଜିଲା ସଂଯୋଜକ ଶରତ ସାହୁ, ଉଦ୍ଧବ ସାହୁ ପ୍ରକାଶ କରିଛନ୍ତି।