Categories: ବାଣିଜ୍ୟ

ଆତ୍ମ ସନ୍ଦେହ ସ୍ଥିତିରେ ନ ରହୁ ଶିଳ୍ପଜଗତ: ସୀତାରାମନ

ନୂଆଦିଲ୍ଲୀ,୨୧-୧୨: ଦେଶର ଶିଳ୍ପ ଜଗତ ଆତ୍ମ ସନ୍ଦେହ ସ୍ଥିତିରେ ନ ରହି ଏହାଠାରୁ ବାହାରକୁ ଆସିବାର ଆବଶ୍ୟକତା ରହିଛି ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର କହିଛନ୍ତି। ଶିଳ୍ପ ଜଗତ ନକାରାତ୍ମକ ମନୋଭାବଠାରୁ ବାହାରକୁ ଆସିବା ଉଚିତ। ସରକାର ଶିଳ୍ପର ପ୍ରତି ପ୍ରଶ୍ନର ଉତ୍ତର ରଖିବେ। ଅର୍ଥ ବ୍ୟବସ୍ଥାରେ ସୁଧାର ଆସୁଥିବାର ଏବେ ଆଭାସ ଆସୁଛି। ବିଦେଶୀ ନିବେଶ ବଢିଥିବା ବେଳେ ଏବେ ବିଦେଶୀ ମୁଦ୍ରା ଭଣ୍ଡାର ରେକର୍ଡ ସ୍ତର ଛୁଇଁଛି ବୋଲି ସେ ମତ ରଖିଛନ୍ତି। ସରକାର ବଜେଟ ପରେ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଯୋଗୁ ଏବେ ଅର୍ଥ ବ୍ୟବସ୍ଥାରେ ସୁଧାର ଆସିବା ଦେଖାଯାଇଛି। ଶିଳ୍ପ ଜଗତର ବିକାଶକୁ ସରକାର ପ୍ରାଥମିକତା ସହ ନେଉଛନ୍ତି ବୋଲି ଆସୋଚାମର ଏକ କାର୍ଯ୍ୟକ୍ରମରେ ସୀତାରାମନ ଏହା କହିଛନ୍ତି। ଗତ କିଛି ବର୍ଷରେ ସରକାର ଯେଉଁ କାର୍ଯ୍ୟକ୍ରମ ମାନ ହାତକୁ ନେଇଛନ୍ତି ତାର ଫଳ ମିଳିଛି। ଭାରତ ବିଶ୍ୱ ସ୍ତରରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିବାକୁ ସକ୍ଷମ ହୋଇଛି। ଶିଳ୍ପ କ୍ଷେତ୍ର ମଧ୍ୟ ଏହି ପରିବର୍ତ୍ତନର ଅଂଶୀଦାର ହେବା ଆବଶ୍ୟକ। ମନ ମଧ୍ୟରୁ ସମସ୍ତ ସଂଶୟକୁ ଦୂର କରି ବିକାଶ ଧାରାରେ ସାମିଲ ହେବାକୁ ସେ ଆହ୍ବାନ ଜଣାଇଛନ୍ତି। ସରକାର ଶିଳ୍ପଗୁଡିକୁ ବନ୍ଦ କରିବାକୁ ଚାହୁଁ ନାହାନ୍ତି। ଆଇନ ଏବଂ ପ୍ରଶାସନିକ କ୍ଷେତ୍ରରେ ପରିବର୍ତ୍ତନ ଦ୍ୱାରା ସରକାର ଶିଳ୍ପଗୁଡିକୁ ସହାୟତା କରିବାକୁ ଗୁରୁତ୍ୱ ଦେଉଥିବା ସୀତାରାମନ କହିଛନ୍ତି।

Share