ଆତ୍ମବିଶ୍ୱାସ ବଢ଼ାଇଦିଏ ଗିଫ୍ଟ ଶାର୍ଟ

ନୟାଗଡ଼ରେ ସମ୍ଭବଙ୍କର ଜନ୍ମ। ପିତା ସୁରେନ୍ଦ୍ରନାଥ ଓ ମା’ କାବେରୀ ସ୍ବାଇଁଙ୍କ ପୁଅ ସମ୍ଭବ ଏବେ ଟ୍ରେଣ୍ଡିଂ ଷ୍ଟାର୍‌ ଭାବେ ପରିଚିତ। ନଜଦିକିୟାଁ, ଫଗୁଣ, ଏ ମନ ମୋ ମନଠାରୁ ଆରମ୍ଭ କରି ଅନେକ ମ୍ୟୁଜିକ ଭଡିଓରେ ନାୟକ ଭାବେ ତାଙ୍କୁ ଦେଖିବାକୁ ମିଳିଛିି। ଏହାଛଡ଼ା ସେ ଦୁଇଟି ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ଏବେ ଏକ ବଡ଼ ବ୍ୟାନରରେ ପ୍ରସ୍ତୁତ ହେଉଥିବା ‘ଆସିକ ସରେଣ୍ଡର ହେଲା’ ଚଳଚ୍ଚିତ୍ରରେ ସମ୍ଭବ ହେଉଛନ୍ତି ମୁଖ୍ୟ ନାୟକ। ତାଙ୍କ ଅନୁଭୂତିରୁ କିଛି..

୨୦୧୨ ମସିହାରେ ମନୋରଞ୍ଜନ ଦୁନିଆ ସହିତ ଯୋଡ଼ି ହୋଇଥିଲି। ହେଲେ ଏହା କେମିତି ହୋଇଥିଲା ତାହା ନିଜେ ବି ଜାଣିନି। ପିଲାବେଳୁ ଅଭିନୟ କରିବାର ଇଚ୍ଛା ଥିଲା ହେଲେ ଭାବି ନ ଥିଲି ଯେ ଦିନେ ସତକୁ ସତ ଏଥିରେ ମୋ କ୍ୟାରିୟର କରିବି ବୋଲି। ମ୍ୟୁଜିକ ଭଡିଓ ଯୋଗୁ ଅନେକ ପ୍ରଶଂସା ଓ ପରିଚୟ ପାଇଛି। ଗତ ବର୍ଷର କଥା। ମୋର ଜଣେ ସାଙ୍ଗ ଆଉ ମୁଁ ଭୁବନେଶ୍ୱରର ଏକ ଶପିଂ ମଲ୍‌କୁ ଯାଇଥାଉ। ଗାଡ଼ି ପାର୍କିଂ କରିବା ବେଳେ ଦୁଇ ଜଣ ଝିଅ ଆମକୁ ଦେଖୁଛନ୍ତି ବୋଲି ସନ୍ଦେହ ହୋଇଥିଲା। ଏକଥା ଚିନ୍ତା ନ କରି ଶପିଂ ମଲ୍‌ ଭିତରକୁ ଚାଲିଯାଇଥିଲୁ। ଶପିଂ କରୁଥିବା ବେଳେ ବି ସେମାନେ ଆମକୁ ଦେଖୁଥାନ୍ତି। ଯେହେତୁ ମୁଁ କିଛି ମ୍ୟୁଜିକ ଭିଡିଓରେ ଅଭିନୟ କରିଛି ଏଣୁ ସେମାନେ ମୋତେ ୟୁଟ୍ୟୁବ କିମ୍ବା ଟିଭିରେ ଦେଖିଥିବେ ବୋଲି ମୁଁ ଭାବୁଥାଏ। ସେଇଆ ବି ହେଲା, କିଛି ସମୟ ପରେ ସେମାନେ ସାହସ କରି ମୋ ସହ କଥା ହେଲେ ଓ ସେଲ୍‌ଫି ବି ନେଲେ। ସବୁଠାରୁ ମୁଖ୍ୟ କଥା ଏହା ଯେ, ମୁଁ ଯେଉଁ ଶାର୍ଟଟି ପସନ୍ଦ କରି ଧରି ଥିଲି ସେମାନେ କିଣି କରି ମୋତେ ଗିଫ୍ଟ ଭାବେ ଦେଇଥିଲେ। ବହୁତ ମନା କରିବା ପରେ ବି ସେମାନେ ମୋ ଫ୍ୟାନ୍‌ ବୋଲି କହି ଗିଫ୍ଟଟି ନେବାକୁ ବାଧ୍ୟ କରିଥିଲେ। ସେହି ଶାର୍ଟକୁ ମୁଁ ବହୁତ କମ୍‌ ପିନ୍ଧେ, ହେଲେ ଯେବେ ବି ପିନ୍ଧେ ନିଜ ଭିତରେ ଆତ୍ମବିଶ୍ୱାସ ଭରିଯାଏ। ମୋ କାମକୁ କେହି ପସନ୍ଦ କରନ୍ତି ଓ ମୋତେ ବହୁତ ଆଗକୁ ଯିବାକୁ ହେବ ବୋଲି ଉକ୍ତ ଗିଫ୍ଟ ଶାର୍ଟଟି ମନେ ପକାଇଦିଏ। ଏପରି ଘଟଣା ବି ଘଟିଛି ଉକ୍ତ ଦୁଇ ଯୁବତୀ ଯେଉଁ କଲେଜରେ ଅଧ୍ୟାପକ ଅଛନ୍ତି ସେଠାକୁ ମୁଁ ଅତିଥି ହୋଇ ଯାଇଛି। ସେହି ଉତ୍ସବକୁ ମଧ୍ୟ ସେମାନେ ଗିଫ୍ଟ ଦେଇଥିବା ଶାର୍ଟଟି ପିନ୍ଧିକରି ଯାଇଥିଲି।

Share