Categories: ଜାତୀୟ

ଆତ୍ମନିର୍ଭର ଭାରତ ନିର୍ମାଣରେ କୋଭିଡ୍‌ ଏକ ସୁଯୋଗ: ମୋଦି

କୋଲକାତା,୧୨ା୬(ପି.ଟି.):ଆତ୍ମନିର୍ଭର ଭାରତ ନିର୍ମାଣ ଲାଗି କୋଭିଡ୍‌-୧୯ ସଙ୍କଟକୁ ଏକ ସୁଯୋଗରେ ରୂପାନ୍ତରିତ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗୁରୁବାର ଭିଡିଓ କନ୍‌ଫରେନ୍ସ ଜରିଆରେ କୋଲକାତାରେ ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି)ର ୯୫ତମ ବାର୍ଷିକ ଅଧିବେଶନକୁ ସମ୍ବୋଧିତ କରି ମୋଦି କହିଥିଲେ, ବର୍ତ୍ତମାନ ସାହସିକ ନିଷ୍ପତ୍ତି ନେବା ଓ ନିବେଶ କରିବାର ପ୍ରକୃଷ୍ଟ ସମୟ। ବିଦେଶରୁ ଆମଦାନି ହେଉଥିବା ସାମଗ୍ରୀ ଯେପରି ଦେଶରେ ଉତ୍ପାଦନ ହେବ, ତାହା ସୁନିଶ୍ଚିତ କରିବା ଲାଗି ପଦକ୍ଷେପ ନେବାକୁ ହେବ।
ଗତ ୫/୬ ବର୍ଷରେ ଭାରତର ଆତ୍ମନିର୍ଭର ଲକ୍ଷ୍ୟ ଦେଶର ନୀତି ଓ କାର୍ଯ୍ୟକ୍ରମରେ ପ୍ରାଧାନ୍ୟ ପାଇଆସିଛି। ଏଦିଗରେ ଉଦ୍ୟମକୁ କିପରି ତ୍ୱରାନ୍ବିତ କରିବାକୁ ହେବ, କୋଭିଡ୍‌-୧୯ ସଙ୍କଟ ଆମକୁ ସେ ଦିଗରେ ଶିକ୍ଷା ଦେଇଛି। ଏବେ ରକ୍ଷଣଶୀଳ ଦୃଷ୍ଟିଭଙ୍ଗୀ ନୁହେଁ, ସାହସିକ ନିଷ୍ପତ୍ତି ନେବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଅର୍ଥନୀତିକୁ ନିୟନ୍ତ୍ରଣ କରିବା ପରିବର୍ତ୍ତେ ବ୍ୟବସାୟକୁ ବଢ଼ାଇବାକୁ ହେବ ଏବଂ ପ୍ରତିଯୋଗିତାମୂଳକ ବିଶ୍ୱ ଯୋଗାଣ ଶୃଙ୍ଖଳ ପ୍ରସ୍ତୁତ କରିବାକୁ ହେବ। ଲୋକକୈନ୍ଦ୍ରିକ, ଲୋକ ପରିଚାଳିତ ତଥା ପରିବେଶ ଅନୁକୂଳ ବିକାଶ ଭାଜପା ନେତୃତ୍ୱାଧୀନ ସରକାରଙ୍କର ଶାସନର ଅଙ୍ଗ ହୋଇଛି। ନିକଟରେ ସରକାର ନେଇଥିବା ନିଷ୍ପତ୍ତି କୃଷକ ଏବଂ ଗ୍ରାମୀଣ ଅର୍ଥନୀତିକୁ ଦୀର୍ଘବର୍ଷର ଦାସତ୍ୱରୁ ମୁକ୍ତ କରିପାରିଛି। ଏବେ କୃଷକ ନିଜ ଉତ୍ପାଦିତ ଶସ୍ୟକୁ ଯେକୌଣସି ସ୍ଥାନରେ ବିକ୍ରି କରିବାର ସ୍ବାଧୀନତା ପାଇଛି।
ଭାରତ କେବଳ କୋଭିଡ୍‌-୧୯ ସଙ୍କଟ ନୁହେଁ, ବନ୍ୟା, ବାତ୍ୟା, ପଙ୍ଗପାଳ ଆକ୍ରମଣ, ଭୂକମ୍ପ ଆଦି ଚ୍ୟାଲେଞ୍ଜର ମଧ୍ୟ ସାମନା କରୁଛି। ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ସଙ୍କଟକୁ ସୁଯୋଗରେ ପରିଣତ କରିବାକୁ ହେବ। ସେଥିପାଇଁ ମହାମାରୀକୁ ଏକ ବଡ଼ ଟର୍ନିଂ ପଏଣ୍ଟରେ ପରିଣତ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏମ୍‌ଏସ୍‌ଏମ୍‌ଇର ସଂଜ୍ଞାରେ ପରିବର୍ତ୍ତନ ସମେତ କମ୍ପାନୀ ଆଇନ ଅଧୀନରେ ଥିବା ଅନେକ ନିୟମ ବଦଳିଛି। କୋଇଲା ଉତ୍ତୋଳନ କ୍ଷେତ୍ରରେ ଅଧିକ ପ୍ରତିଦ୍ୱନ୍ଦ୍ୱିତାର ସୁଯୋଗ ସୃଷ୍ଟି କରାଯାଇଛି। ଏପିଏମ୍‌ସି ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନରେ ପରିବର୍ତ୍ତନ ହୋଇଛି। ସୌରଶକ୍ତି ସେକ୍ଟରରେ ପ୍ରବେଶ ଲାଗି ପ୍ରଧାନମନ୍ତ୍ରୀ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ଆହ୍ବାନ ଦେଇଥିଲେ। ବ୍ୟାଙ୍କ ବ୍ୟବସ୍ଥା ଏବେ ଗରିବଙ୍କ ପାଖରେ ପହଞ୍ଚତ୍ବା ସହ ଲକ୍ଷ ଲକ୍ଷ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Share