ଆତଙ୍କବାଦ ଆକ୍ରମଣ ମାମଲାର ତଦନ୍ତକୁ ନେଇ ହେବ କର୍ମଶାଳା: ୩ରେ ଓଡ଼ିଶା ଆସିବେ ଏନ୍‌ଆଇଏ ଡିଜି

ଭୁବନେଶ୍ୱର,୧।୧୦(ବ୍ୟୁରୋ): ଆତଙ୍କବାଦ ମାମଲାର ତଦନ୍ତ କିଭଳି କରାଯିବ ତାହାକୁ ନେଇ ପାଠ ପଢିବେ ଓଡ଼ିଶା ପୋଲିସ। ପୋଲିସ ଭବନରେ ଅନୁଷ୍ଠିତ ହେବ ଦିନିକିଆ କର୍ମଶାଳା। ଏନେଇ ଆସନ୍ତା ୩ ତାରିଖରେ ଓଡିଶା ଆସିବେ ନ୍ୟାଶନାଲ ଇନ୍‌ଭେଷ୍ଟିକେଶନ ଏଜେନ୍ସି (ଏନ୍‌ଆଇଏ) ଡିଜି ଯୋଗେଶ ଚନ୍ଦ୍ର ମୋଦୀ ଓ ଅନ୍ୟ ବରିଷ୍ଠ ଅଫିସର। ଏନ୍‌ଆଇଏ ଅଧିକାରୀମାନେ ଆତଙ୍କବାଦ କାର୍ଯ୍ୟକଳାପ ଓ ଏହାର ମାମଲା କିଭଳି ତଦନ୍ତ କରାଯିବ ସେନେଇ ଓଡିଶା ପୋଲିସକୁ ପ୍ରଶିକ୍ଷଣ ଦେବେ। ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ ଓଡିଶା ରହିଛି। କେନ୍ଦ୍ର ଗୋଇନ୍ଦା ବିଭାଗ ମଧ୍ୟ ଏନେଇ ରିପୋର୍ଟ ଦେଇଛନ୍ତି। ଏପରିକି ପୂର୍ବରୁ ମଧ୍ୟ ଆତଙ୍କବାଦୀ ଲିଙ୍କ୍‌ରେ ଅବଦୁର୍‌ ରହମାନ ଏବଂ ରାଉରକେଲାର ଏକାଧିକ ଅପରାଧୀ ଗିରଫ ହୋଇଛନ୍ତି। ଏଦୃଷ୍ଟିରୁ କର୍ମଶାଳା ବହୁ ଗୁରୁତ୍ୱ ବହନ କରୁଛି। ବିଶେଷ କରି ଓଡିଶାର ଐତିହ୍ୟ ଓ ମନ୍ଦିରମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କିଭଳି କଡାକଡି କରାଯାଇ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିହେବ ସେନେଇ ମଧ୍ୟ ବାଟ ବତାଇବେ ଅଧିକାରୀ। ଏହାସହ ପୋଲିସ ଏବଂ ଗୋଇନ୍ଦା ବିଭାଗ ସମନ୍ବୟରେ ତଥ୍ୟ ଆଦାନ ପ୍ରଦାନ କରାଯାଇ କାର୍ଯ୍ୟକରାଯିବ ତାହା ଉପରେ ପରାମର୍ଶ ଦେବେ। ବୈଠକରେ ପୋଲିସ ଡିଜି ବି.କେ ଶର୍ମା ଏବଂ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିବେ।