Categories: ଜାତୀୟ

ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ଦିଲ୍ଲୀ-ଗୁଜରାଟରେ ଆଲର୍ଟ

ନୂଆଦିଲ୍ଲୀ,୩୧।୫: ଦିଲ୍ଲୀ ଓ ଗୁଜରାଟରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ଗୁପ୍ତ ସୂଚନା ମିଳିବାପରେ ଏଠାରେ ଆଲର୍ଟ ଜାରି କରାଯାଇଛି। ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ୍‌, ହିଜିବୁଲ୍‌ ମୁଜାହିଦ୍ଦିନ୍‌ ଏବଂ ଲଶ୍କର-ଇ-ତୋଏବା ପକ୍ଷରୁ ଆକ୍ରମଣ ଲାଗି ଯୋଜନା କରାଯାଉଥିବା ସମ୍ପର୍କରେ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ରିପୋର୍ଟ ମିଳିବା ପରେ ସମ୍ପୃକ୍ତ ରାଜ୍ୟରେ ସୁରକ୍ଷାକର୍ମୀଙ୍କୁ ସଜାଗ ରଖାଯାଇଛି। ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଆତଙ୍କବାଦ ଅନୁପ୍ରବେଶ ରୋକିବା ପାଇଁ ସେନା ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅନୁପ୍ରବେଶକାରୀ କରୋନା ସଂକ୍ରମିତ ହୋଇଥିବାର ଆଶଙ୍କା ମଧ୍ୟ ରହିଥିବାରୁ ଭାରତୀୟ ସେନାଙ୍କୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ନିୟନ୍ତ୍ରଣରେଖା ନିକଟରେ ୩୦୦ରୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ ଲାଗି ସୁଯୋଗକୁ ଅପେକ୍ଷା କରି ବସିଥିବା କୁହାଯାଉଛି। ଇତିମଧ୍ୟରେ ପାକିସ୍ତାନ ପକ୍ଷରୁ ନିୟନ୍ତ୍ରଣ ରେଖା ନିକଟରେ ୧୬ଟି ଲଞ୍ଚ୍‌ପ୍ୟାଡ୍‌ ସକ୍ରିୟ କରିବା କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଭାରତୀୟ ସେନାଙ୍କୁ ସଜାଗ ରହିବାକୁ କୁହାଯାଇଛି।

Share