ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ବଡ଼ଦେଉଳ, ପରିଚୟପତ୍ରକୁ ଗୁରୁତ୍ୱ ଦେଉନି ପ୍ରଶାସନ

ପୁରୀ ଅଫିସ, ୧୩ା୮: ଦେଶର ଅନ୍ୟତମ ପ୍ରମୁଖ ତୀର୍ଥକ୍ଷେତ୍ର ହେଉଛି ପୁରୀ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ସମୁଦ୍ର ସ୍ନାନ ଓ ବେଳାଭୂମି ବୁଲିବା ଲାଗି ପ୍ରତ୍ୟେହ ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତ ଆସିଥାନ୍ତି। ଏଥିଲାଗି ପୁରୀ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥିବା ନେଇ ବିଭିନ୍ନ ସମୟରେ ଗୋଇନ୍ଦା ରିପୋର୍ଟ ଦେଉଛି। ନିକଟରେ ପୁଣି ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ଭାରତୀୟ ଗୋଇନ୍ଦା ବିଭାଗ ରିପୋର୍ଟ ଦେବା ସହ ସଜାଗ ଓ ସତର୍କ ରହିବାକୁଓଡ଼ିଶା ପୋଲିସକୁ ପରାମର୍ଶ ଦେଇଛି। ରାଜ୍ୟ ପୋଲିସ ଏ ନେଇ ଜିଲା ପ୍ରଶାସନ ଏବଂ ପୋଲିସକୁ ମଧ୍ୟ ଅବଗତ କରାଇଛି। ତେବେ ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିକୋଣରୁ ପ୍ରତ୍ୟେକ ଛୋଟ ଛୋଟ ପ୍ରସଙ୍ଗକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ହେଲେ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁରୀ ପୋଲିସ ଏହାକୁ ଗୁରୁତ୍ୱ ଦେବା ଭଳି ମନେ ହେଉନାହିଁ। ଏ ଯାଏ ସେବକଙ୍କୁ ପରିଚୟପତ୍ର ନ ମିଳିବା ଘଟଣା ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲ ମନୋଭାବକୁ ସ୍ପଷ୍ଟ କରୁଛି।