ଆଠମାସ ପରେ ପରିବାରକୁ ଫେରିଲେ ବୃଦ୍ଧ: ସହଯୋଗର ହାତ ବଢ଼ାଇଲା ଆରପିଏଫ୍‌

ପୁରୀ ଅଫିସ, ୧୧-୯:କେନ୍ଦୁଝର ଆନନ୍ଦପୁର ଅଞ୍ଚଳରୁ ଗତ ଜାନୁୟାରୀରେ ନିଖୋଜ ହୋଇଥିବା ବୃଦ୍ଧ ଜୟାନନ୍ଦ ନାଥ (୭୫ବଷ)ଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିିଛି ପୁରୀ ଆରପିଏଫ୍‌ ପୋଲିସ। ଦୀର୍ଘ ୮ମାସ ପରେ ନିଖୋଜ ବାପାଙ୍କୁ ପାଇ ପୁଅ ଦିଲୀପ ଏବଂ ପରିବାର ସଦସ୍ୟ ଭାବବିହ୍ବଳ ହୋଇଯାଇଥିଲେ। ଆରପିଏଫ୍‌ର ଏପରି କାର୍ଯ୍ୟକୁ ବାହାର ପର୍ଯ୍ୟଟକ ଓ ଯାତ୍ରୀ ଭୂୟସୀ ପ୍ରଶଂସା କରିଥିଲେ।
ମିଳିଥିବା ସୂଚନା ପ୍ରକାରେ ଆରପିଏଫ୍‌ ଏସ୍‌ଆଇ ପି.କେ. ରାଉଳ ଗତ ଶନିବାର ଷ୍ଟେଶନ ପରିସରରେ ଡ୍ୟୁଟି କରୁଥିଲେ। ଯାତ୍ରୀନିବାସରେ ଜଣେ ବୃଦ୍ଧ ଅସହାୟ ଅବସ୍ଥାରେ ବସିଥିବା ଦେଖି ତାଙ୍କ ନିକଟକୁ ଯାଇଥିଲେ। ସେତେବେଳେ ଭୀଷଣ ଜ୍ୱରରେ ତାଙ୍କ ଦେହ କମ୍ପୁଥିଲା। ଗତ କିଛିଦିନ ହେଲା ନ ଖାଇ ନ ପିଇ ସେ ଅସୁସ୍ଥ ହୋଇପଡ଼ିଥିଲେ। ଏସ୍‌ଆଇ ରାଉଳ ତାଙ୍କୁ ସେଠାରୁ ଉଦ୍ଧାର କରି ଷ୍ଟେଶନ ପରିସରରେ ଥିବା ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ତାଙ୍କ ସହ କଥାବାର୍ତ୍ତା କରି ତାଙ୍କ ନାମ ଏବଂ ଠିକଣା ସମ୍ପର୍କରେ ପଚାରି ବୁଝିଥିଲେ। ତାଙ୍କ ଠାରୁ ସଂଗ୍ରହ ତଥ୍ୟକୁ ଆଧାର କରି ଆନନ୍ଦପୁର ଥାନାକୁ ଯୋଗାଯୋଗ କରିଥିଲେ। ସଂପୃକ୍ତ ବୃଦ୍ଧ ଜଣକ ନିଖୋଜ ହୋଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିବା ଆନନ୍ଦପୁର ପୋଲିସ ସୂଚନା ଦେଇଥିଲା। ଆନନ୍ଦପୁର ପୋଲିସ ଠାରୁ ପରିବାର ସମ୍ପର୍କରେ ଖବର ସଂଗ୍ରହ କରି ଏସ୍‌ଆଇ ରାଉଳ ବୃଦ୍ଧଙ୍କ ପୁଅ ଦିଲୀପ ନାଥଙ୍କୁ ଯୋଗାଯୋଗ କରିଥିଲେ। ପରେ ଦିଲୀପ ସମ୍ପର୍କୀୟଙ୍କ ସହ ପୁରୀ ଆରପିଏଫ୍‌ ଥାନାରେ ପହଞ୍ଚତ୍ଥିଲେ। ଏ ସମ୍ପର୍କରେ ଦିଲୀପ ଗଣମାଧ୍ୟମକୁ ସୂଚନା ଦେଇ କହିଲେ ଯେ, ବାପାଙ୍କୁ ନିଖୋଜ ହେବାର ୮ମାସ ବିତିଯାଇଥିଲା। ପୁଣି ଥରେ ପାଇବି ବୋଲି ଆଶା ଛାଡି ଦେଇଥିଲି। ମହାପ୍ରଭୁଙ୍କ କୃପା ଏବଂ ଆରପିଏଫ୍‌ ବଦାନ୍ୟତାରୁ ମୁଁ ମୋ ବାପାଙ୍କୁ ଫେରି ପାଇଲି ବୋଲି କହିଥିଲେ।