ଆଜି ୯ ଜିଲାରେ ବର୍ଷା

ଭୁବନେଶ୍ୱର, ୯।୭(ବ୍ୟୁରୋ): ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଝାଡ଼ଖଣ୍ଡ ଉପରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ସୋମବାର ଉତ୍ତର ଓଡ଼ିଶା ଜିଲାଗୁଡ଼ିକରେ ଭଲ ବର୍ଷା ହୋଇଛି। ୧୧ ତାରିଖଠାରୁ ଉପକୂଳ ଓ ଉତ୍ତର ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦକ୍ଷିଣ ଓଡ଼ିଶାରେ ମଧ୍ୟମଧରଣର ବର୍ଷା ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ମଙ୍ଗଳବାର ଉତ୍ତର ଓଡ଼ିଶା, ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ। ତେବେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କଟକ, ଦେବଗଡ଼, ଯାଜପୁର ଓ କୋରାପୁଟ ଆଦି ୯ଟି ଜିଲାରେ ପ୍ରବଳ ବର୍ଷା ହେବ। ଏଥିସହିତ ଉତ୍ତର ଓଡ଼ିଶା ଓ ଖୋର୍ଦ୍ଧା ଜିଲାରେ କାଳବୈଶାଖୀ ହେବ। ଏହି ସମୟରେ ବଜ୍ରପାତ ହେବାର ଆଶଙ୍କା ରହିଛି।