ଆଜି ୮ ଜିଲାକୁ ବର୍ଷା

ଭୁବନେଶ୍ୱର,୨୮।୬(ବ୍ୟୁରୋ) : ଓଡ଼ିଶାରେ ମୌସୁମୀ ଛୁଇଁଛି। କିନ୍ତୁ ଜୁନ୍‌ ମାସ ଶେଷ ହେବାକୁ ବସିଲାଣି, ରାଜ୍ୟରେ ବର୍ଷାର କୌଣସି ଦେଖାନାହିଁ। ଆସନ୍ତା ୩୦ତାରିଖରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶୁକ୍ରବାର ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ସହ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବ। ତେବେ କୋରାପୁଟ, ଗଜପତି, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ବାଲେଶ୍ୱର ଆଦି ୮ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲାରେ କାଳବୈଶାଖୀ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ୩୦ତାରିଖରେ ଖୋର୍ଦ୍ଧା, ଜଗତ୍‌ସିଂହପୁର, କଟକ, ନୟାଗଡ଼, କନ୍ଧମାଳ ଓ ଗଞ୍ଜାମ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ଅଛି। ଏହି ସମୟରେ ଉପକୂଳ ଓଡ଼ିଶାରେ ଆସନ୍ତା ୩୦ ଓ ଜୁଲାଇ ୧ରେ ୩୫ରୁ ୪୫ କିଲୋମିଟର ବେଗରେ ପବନ ବହିପାରେ। ଏହି ଦୁଇଦିନ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ସମୁଦ୍ର ଭିତରକୁ ଯାଇଛନ୍ତି, ସେମାନେ ୨୯ତାରିଖ ରାତି ସୁଦ୍ଧା ଫେରିଆସିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।