ଆଜି ମେଲାଣି ନେବେ ଧନଦାତ୍ରୀ

ପାଲଲହଡା,୨୩।୧୦(ଡି.ଏନ.ଏ.) -୧୦ ଦିନ ଧରି ଚାଲିଥିବା ପାଲଲହଡା ଉପଖଣ୍ଡ ଲକ୍ଷ୍ମୀପୂଜାର ଭସାଣି ଉତ୍ସବ ବୁଧବାର ସ୍ଥାନୀୟ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ୧୦ ଗୋଟି ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ସମସ୍ତ ମେଢ ପୂର୍ବାହ୍ନ ୧୧ ଟାରେ ଷ୍ଟାଡିୟମରେ ପହଞ୍ଚିବା ପରେ ଆଜ୍ଞାଲଡୁ ନିଲାମ ହେବ। ଏହାପରେ ସମସ୍ତ ମେଢକୁ ପର୍ଯ୍ୟାୟ କ୍ରମେ ଷ୍ଟାଡିୟମରୁ ନିଆଯାଇ ନଦୀପଠା ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯିବ। କେନ୍ଦ୍ରୀୟ ଗଜଲକ୍ଷ୍ମୀପୂଜା କମିଟି ଆନୁକୂଲ୍ୟରେ ହେବାକୁ ଥିବା ଏହି ମେଲଣ ଉତ୍ସବରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ଏମପି ମହେଶ ସାହୁ, ବିଧାୟକ ମୁକେଶ କୁମାର ପାଲ, ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି, ଆରକ୍ଷୀ ଅଧୀକ୍ଷକ ଜଗମୋହନ ମିନା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨ ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ୨ଜଣ ଡିଏସପି, ୩ଜଣ ଇନ୍ସପେକ୍ଟର, ୪ଜଣ ଏସଆଇ ଏବଂ ୮ ଜଣ ଏଏସଆଇଙ୍କ ସହ ମୋଟ ୧୭ ଜଣ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ଉପଖଣ୍ଡ ପୋଲିସ ଅଧିକାରୀ ଯଶୋବନ୍ତ ସାମଲ ପ୍ରକାଶ କରିଛନ୍ତି। ଶାନ୍ତିଶୃଙ୍ଖଳା ସହ କିପରି ଭସାଣି ଉତ୍ସବ ଶେଷ ହେବ ସେଥିପାଇଁ ଉପଜିଲାପାଳ ଅଜିତ କୁମାର ପ୍ରଧାନ ପୋଲିସ ପ୍ରଶାସନ, ସମସ୍ତ ପୂଜା କମିଟିର ସଦସ୍ୟଙ୍କୁ ଯତ୍ନବାନ ରହିବାକୁ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ଭସାଣି ଉତ୍ସବକୁ ଦୃଷ୍ଟିରେ ରଖି ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସହର ମଧ୍ୟକୁ କୌଣସି ଭାରିଯାନ ଚଳାଚଳ ଉପରେ କଟକଣା ଲଗାଯାଇ ଥିବାବେଳେ ଏହି ସମୟରେ ସମସ୍ତ ଗାଡିକୁ ନୂତନ ବାଇପାସ ରାସ୍ତାରେ ଛଡ଼ାଯିବ ବୋଲି ଥାନା ଅଧିକାରୀ କନକ ମାଝି ସୂଚନା ଦେଇଛନ୍ତି।