Categories: ଫୁରସତ

ଆଜି ବି ବ୍ରିଟେନ୍‌କୁ ଏହି ସ୍ଥାନର ଟ୍ୟାକ୍ସ ଦେଉଛି ଭାରତ

ବ୍ରିଟେନ ବା ଇଂରେଜମାନଙ୍କ କବଳରୁ ଭାରତ ୭୩ ବର୍ଷ ହେଲା ସ୍ବାଧୀନ ହୋଇସାରିଲାଣି। କିନ୍ତୁ ଆଜି ମଧ୍ୟ କିଛି ଅଂଶ ଇଂରେଜମାନଙ୍କ କବଳରେ ରହିଛି। ବ୍ରିଟେନ୍‌ର ଏକ ରେଳ ଟ୍ରାକ୍‌ ଭାରତରେ ରହିଛି। ମାତ୍ର ଏହାର ଟ୍ୟାକ୍ସ ବ୍ରିଟେନ୍‌ ସରକାରଙ୍କୁ ଭାରତ ଦେଉଛି। ଟ୍ରାକ୍‌ର ଦେଖାଶୁଣା ବ୍ରିଟେନ୍‌ ସରକାର କରୁଥିଲେ ହେଁ ଭାରତ ସରକାର ପ୍ରତିବର୍ଷ ଅର୍ଥ ବ୍ୟୟ କରୁଛନ୍ତି। ଏପରିକି ଭାରତୀୟ ରେଳ ବିଭାଗ ଅଧୀନରେ ଏକ ବେସରକାରୀ କମ୍ପାନୀ ପ୍ରତିବର୍ଷ ପ୍ରାୟ ୨୦ ଲକ୍ଷ ଟଙ୍କାର ଟ୍ୟାକ୍ସ ବ୍ରିଟେନ୍‌କୁ ଦେଉଛି। ଏହି ଟ୍ରାକ୍‌ରେ ଶକୁନ୍ତଳା ଏକ୍ସପ୍ରେସ ନାମକ ଏକ ପାସେଞ୍ଜର ଟ୍ରେନ୍‌ ଚଳାଚଳ କରୁଛି। ଆନ୍ଧ୍ରପ୍ରଦେଶର ଅମରାବତୀରୁ ମୂର୍ତଜାପୁର ୧୮୯ କିମି ଯାତ୍ରା କରୁଥିବା ଉକ୍ତ ଟ୍ରେନ୍‌ ଅଚଳପୁର, ଜବତମାଲ ପରି ଛୋଡ଼ବଡ଼ ଷ୍ଟେଶନ ଅତିକ୍ରମ କରୁଛି। ୧୦୦ ବର୍ଷର ପୁରୁଣା ଏହି ଟ୍ରେନ୍‌ରେ ୫ଟି ବଗି ରହିଛି। ଟ୍ରେନ୍‌ଟି ବ୍ରିଟେନ୍‌ର ମାଞ୍ଚେଷ୍ଟର ସହରର ଏକ କାରଖାନାରେ ୧୯୨୧ ମସିହାରେ ତିଆରି ହୋଇଥିଲା। ୧୯୯୪ରେ ଉକ୍ତ ଟ୍ରେନ୍‌ର ଇଞ୍ଜିନ୍‌ ବଦଳା ଯାଇଥିଲା। ଟ୍ରେନ୍‌ଟିରେ ଦୈନିକ ୧ ହଜାରରୁ ଊର୍ଦ୍ଧ୍ୱ ଯାତ୍ରୀ ଯାତାୟାତ କରୁଥିବାବେଳେ ଏହାର ଘଣ୍ଟାପ୍ରତି ବେଗ ୨୦ କିମି ରହିଛି। ଟ୍ରାକ୍‌ର ଦୁରବସ୍ଥା ଦେଖି ଏକ୍ସପ୍ରେସକୁ ଦୁଇ ଥର ବନ୍ଦ କରା ଯାଇସାରିଲାଣି। କିନ୍ତୁ ସ୍ଥାନୀୟ ଲୋକଙ୍କ ଦାବି ଅନୁଯାୟୀ, ଏହି ଟ୍ରାକ୍‌ରେ ଉକ୍ତ ଟ୍ରେନ୍‌ଟି ଚଳାଚଳ କରୁଛି। ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଭାରତ ସରକାର ଏହାକୁ କିଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ମାତ୍ର ଏହା ଦ୍ୱାରା ଅନେକ ଅସୁବିଧା ସୃଷ୍ଟି ହେବାର ଆଶଙ୍କା କରି ଆଜିପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ।

Share