ଆଜି ବରୀ ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ: ଏକତରଫା ଚାଲିଛି ପ୍ରସ୍ତୁତି, ହାତ ଟେକି ଦେଇଛି ବିଜେଡି

ଯାଜପୁର ଅଫିସ/ବରୀ(ସ୍ବ.ପ୍ର.),୨୧ା୮- ଯାଜପୁର ଜିଲା ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପନିର୍ବାଚନ ପାଇଁ ଚାଲିଛି ଏକତରଫା ପ୍ରସ୍ତୁତି । ଗତ ରାଜ୍ୟ ସଭା ନିର୍ବାଚନ ଭଳି ଭାଜପାକୁ ସହଯୋଗ କରିିବାକୁ ଯାଇ ବିଜେଡି ହାତ ଟେକି ଦେଇଛି ା ନବନିର୍ବାଚିତ ବିଧାୟିକା ବିକାଶ କାର୍ଯ୍ୟକୁ ଗୁରୁତ୍ୱ ଦେଉଥିବା ଆଳ କରି ଅଧ୍ୟକ୍ଷା ପଦବୀ ପାଇଁ କୌଣସି ମୁଣ୍ଡ ଖେଳାଉ ନ ଥିବା ସୂଚନା ଦେଇଛନ୍ତି। ହେଲେ ବାସ୍ତବରେ ଅଧ୍ୟକ୍ଷା ନିର୍ବାଚନରେ ଭାଜପା ସହିତ ବିଜେଡି ଆଉ ଟକ୍କର ଦେବା ପରିସ୍ଥିତିରେ ନ ଥିବାରୁ କାହିଁକି ହାତ ମାରିବେ ଆଉ ପରାଜୟ ହୋଇ ଲୋକଲୋଚନରେ ହିନସ୍ତା ହେବେ ବୋଲି ଚର୍ଚ୍ଚା ହେଉଛି।
ସରକାରୀ ଭାବେ ଅଧ୍ୟକ୍ଷା ଉପନିର୍ବାଚନ ପାଇଁ ବୁଧବାରକୁ ଧାର୍ଯ୍ୟ ହୋଇଛି ା ଏନେଇ ବରୀ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ସରିଛି ା ଏହି ସମିତି ଅଧ୍ୟକ୍ଷା ପଦବୀ ପୂର୍ବରୁ ଭାଜପା ସମର୍ଥତ୍ତ ପ୍ରାର୍ଥୀ ଦଖଲରେ ରହିଥିଲା। ଅଧ୍ୟକ୍ଷା ସୁନନ୍ଦା ଦାସ ବିଜେଡିରୁ ଟିକେଟ ପାଇ ଗତ ସାଧାରଣ ନିର୍ବାଚନରେ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି। ସେହିଦିନଠାରୁ ଅଧ୍ୟକ୍ଷା ପଦବୀ ଖାଲି ପଡ଼ିଛି। ଏବେ ଭାଜପା ପୁଣି ଦଖଲରେ ରଖିବାକୁ ସମସ୍ତ ରଣକୌଶଳ କରିଛି। ହେଲେ ବିଜେଡି ଏଥିରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ଯାଇଛି। ଏପରିକି ଏହି ଉପନିର୍ବାଚନରେ ମୁଣ୍ଡ ପୁରାଇବ ନାହିଁ ବୋଲି ବିଧାୟିକା ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ପଞ୍ଚାୟତ ସମିତିରେ ମୋଟ ୨୯ ସମିତି ସଭ୍ୟାସଭ୍ୟ ନିର୍ବାଚିତ ହୋଇଛନ୍ତି। ଏହିକ୍ରମରେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଭାଜପା ଶିବିରରେ ୧୫ଜଣ ସମିତି ସଭ୍ୟାସଭ୍ୟ ରହିଥିବା ସୂଚନା ମିଳିଛି। ଏହାବାଦ ଅନ୍ୟ ୪ଜଣ ସଭ୍ୟାସଭ୍ୟ ବାହାରେ ରହିଥିଲେ ହେଁ ଭାଜପାକୁ ସମର୍ଥନ ଦେବେ ବୋଲି ସୂଚନା ମିଳିଛି। ବିଧାୟିକା ସୁନନ୍ଦାଙ୍କୁ ବାଦ ଦେଲେ ୨୮ଜଣ ସମିତି ସଭ୍ୟାସଭ୍ୟ ନିର୍ବାଚନରେ ସାମିଲ ହେବେ। ତେଣୁ ମ୍ୟାଜିକ ନମ୍ବର ୧୫ ହେଲେ ସେହିଦଳ ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷା ପଦବୀରେ ଅଳଙ୍କୃତ ହେବେ ା ଏହି ଦୃଷ୍ଟିରୁ ଭାଜପା ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷା ହେବାର ସ୍ପଷ୍ଟ ହୋଇ ସାରିଛି ା ତେବେ ଭାଜପା ପକ୍ଷରୁ କାହାକୁ ପ୍ରାର୍ଥୀନୀ କରାଯିବ ସେ ନେଇ ସ୍ପଷ୍ଟ ସୂଚନା ମିଳି ପାରିନାହିଁ ା ଏଠାରେ ସୂଚନାଯୋଗ୍ୟ ଯେ, ଗତ ସାଧାରଣ ନିର୍ବାଚନରେ ବରୀ ନିର୍ବାଚନ ମଣ୍ଡଳିରେ ବିଜେଡି ଓ ଭାଜପା ମଧ୍ୟରେ କାଟେଁ କା ଟକ୍କର ହୋଇଥିଲା ା ବିଜେଡି ପ୍ରାର୍ଥୀ ସୁନନ୍ଦା ମାତ୍ର ୪୦୬୨ ଭୋଟରେ ଭାଜପା ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ପରାସ୍ତ କରିଥିଲେ। ତେବେ ସାନି ମତଦାନରେ ଏହି ଅଙ୍କ ଓଲଟପାଲଟ ହୋଇଥିଲା ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା। ଏଥିଯୋଗୁ ବିଜେଡି ଚଳିତ ସମିତି ଅଧ୍ୟକ୍ଷା ଉପ ନିର୍ବାଚନରେ ଆଉ ରିସ୍କ ନେବାକୁ ଚାହୁଁ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତପୋଷଣ କରୁଛନ୍ତି ା